ବୈତରଣୀରେ ଭାସୁଛି ୨ ନବଜାତକଙ୍କ ମୃତଦେହ

ଆନନ୍ଦପୁର : ଘସିପୁରା ଥାନା ପଛପଟ ବୈତରଣୀ ନଦୀକୂଳରେ ଭାସୁଛି ଦୁଇଟି ନବଜାତକଙ୍କ ମୃତଦେହ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଅଲଟ୍ରାସାଉଣ୍ଡ ବାହାନାରେ ଲିଙ୍ଗ ନିରୂପଣ କରାଯିବା ସହ ଶିଶୁଙ୍କୁ ମା’ ପେଟରୁ ହିଁ ନଷ୍ଟ କରିଦିଆଯାଉଥିବା ସନ୍ଦେହ କରାଯାଉଛି। ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ବେଆଇନ। ଏହାକୁ ଉଲ୍ଲଂଘନ କଲେ ଏକଲକ୍ଷ ଟଙ୍କା ଜରିମାନା ସହିତ ପାଞ୍ଚବର୍ଷ ଜେଲ୍‌ଦଣ୍ଡର ପ୍ରାବଧାନ ରହିଛି। ଘସିପୁରାରେ ଏକ କ୍ଲିନିକରେ ଏଭଳି କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଥିବା ଅଭିଯୋଗ ହେଉଛି।

ଗର୍ଭସ୍ଥ ଶିଶୁର ପରୀକ୍ଷା ଆଳରେ ଲିଙ୍ଗ ନିରୂପଣ କରାଯାଉଛି। ଶିଶୁକୁ ଜନ୍ମ ଦେବାପାଇଁ ଦମ୍ପତି ଅନିଚ୍ଛା ପ୍ରକାଶ କଲେ ନଷ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହି ବେଆ‌ଇନ କାମ ନିୟମିତ ଚାଲିଥିବାରୁ ବିଭିନ୍ନ ସମୟରେ ଘସିପୁରା ଅଞ୍ଚଳରେ ନବଜାତକଙ୍କ ମୃତଦେହ ପଡ଼ୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଦୁଇଥର ବୈତରଣୀ ନଦୀକୂଳରୁ ନବଜାତକଙ୍କ ମୃତଦେହ ମିଳିଥିଲା। ଗତକାଲି ନଦୀକୂଳରେ ପଥର ପ୍ୟାକିଂ କରୁଥିବା ଶ୍ରମିକମାନେ ଘସିପୁରା ଥାନା ପଛପଟେ ଦୁଇଟି ନବଜାତକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର