ଅହମଦାବାଦ- ପୁରୀ ଏକ୍ସପ୍ରେସ ଟ୍ରେନରୁ ୨ ଯାତ୍ରୀଙ୍କ ଶବ ଉଦ୍ଧାର

ଟିଟିଲାଗଡ଼: ଅହମଦାବାଦ- ପୁରୀ ଏକ୍ସପ୍ରେସ ଟ୍ରେନରୁ ୨ ଜଣ ଯାତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ଏହି ଦୁଇଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ରେଳବାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଆଜି କଣ୍ଟାବାଞ୍ଜି ଷ୍ଟେସନରେ ଅହମଦାବାଦ- ପୁରୀ ଏକ୍ସପ୍ରେସ୍‌ ପହଞ୍ଚିଲା ବେଳକୁ ଟ୍ରେନର ଏସ୍‌ -୯ ବଗିରେ ଥିବା ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଙ୍କୁ ଡକା ଯାଇଥିଲା। ଡାକ୍ତର ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ରେଳବାଇ ଅଧିକାରୀଙ୍କଠାରୁ ଖବର ପାଇ ଟିଟିଲାଗଡ଼ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଷ୍ଟେସନ ମାଷ୍ଟର, ଆରପିଏଫ ଥାନାଧିକାରୀ ଏମ୍‌. ଏସ୍‌. କୁମାୱତ, ରେଳବାଇ ପୁଲିସ ଏଏସଆଇ ଚାରୋ ତିର୍କୀ ପ୍ରମୁଖ ଶବଟିକୁ ଟ୍ରେନରୁ ଓହ୍ଲାଇଥିଲେ। ତେବେ ଏହି ଶବ ଓହ୍ଲାଇବା ବେଳେ ବଗିର ବାଥରୁମ ନିକଟରେ ଆଉ ଜଣେ ବ୍ୟକ୍ତିଙ୍କ ଶବ ଥିବା ଦେଖିବାକୁ ମିଳିଥିଲା। ପୁଲିସ ସେହି ଶବକୁ ମଧ୍ୟ ଟ୍ରେନ୍‌ରୁ ଓହ୍ଲାଇଥିଲା। ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ହରିପୁର ଗାଁର ବାଲାଜୀ ନାୟକ ବୋଲି ଜଣାପଡ଼ିଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ବାଲାଜୀ ସୁରତରେ କାମ କରୁଥିବା ବେଳେ ସେ ଏହି ଟ୍ରେନ୍‌ରେ ଘରକୁ ଫେରୁଥିଲେ। ସେ ଟ୍ରେନରେ ଚଢିବା ବେଳେ ହିଁ ତାଙ୍କୁ ଅସୁସ୍ଥ ଲାଗୁଥିବା ସହଯାତ୍ରୀମାନଙ୍କୁ କହିଥିଲେ। ତେବେ ଅନ୍ୟ ଜଣଙ୍କ ଠିକଣା ଜଣା ପଡ଼ିନାହିଁ। ତାଙ୍କ ପକେଟ୍‌ରୁ ମିଳିଥିବା ଡାଏରିରେ ଆଦିତ୍ୟ ପ୍ରଧାନ ବୋଲି ଲେଖା ହୋଇଛି। ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ୨ ଯାତ୍ରୀଙ୍କ ଶବକୁ ଟିଟିଲାଗଡ଼ ଡାକ୍ତରଖାନାର ଶବଗୃହରେ ରଖା ଯାଇଥିବା ବେଳେ ଆସନ୍ତାକାଲି ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର