ଜାପାନରୁ ଆସିଲା ୨ ଓଡ଼ିଆ ଯୁବକଙ୍କ ମୃତଦେହ, ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

ଭୋଗରାଇ: ଜାପାନର ରାଜଧାନୀ ଟୋକିଓର ଏକ ତାରକା ହୋଟେଲରେ ସେଫ୍‌ (ରୋଷେୟା) ଭାବେ କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି। ମୃତକ ଦ୍ବୟ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍‌ ମନତାଜ (୪୫) ଓ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ପଠାନ ମେହେଲ୍‌ ବସ୍ତିର ସେକ୍‌ ବାରୁଦ୍ଦିନ(୪୬)। ଗତ ଜାନୁଆରି ମାସରେ ଉଭୟ ଜାପାନକୁ ଯାଇ ଟୋକିଓର ‘ତାନସନ୍‌ ଭିଉ’ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ୨୯ ତାରିଖ ସନ୍ଧ୍ୟାରେ ହୋଟେଲରେ ରୋଷେଇ କରୁଥିବାବେଳେ ବିଷାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ମନତାଜ ଓ ବାରୁଦ୍ଦିନଙ୍କର ମୃତ୍ୟୁ ଘଟିଥିଲା। ଉଭୟଙ୍କର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଅର୍ଥାଭାବ ଯୋଗୁଁ ଜାପାନରୁ ମୃତଦେହ ଆଣିବାରେ ଅସମର୍ଥ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ।

କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପ୍ରଚେଷ୍ଟା କ୍ରମେ ଜାପାନରୁ ଉଭୟଙ୍କ ମୃତଦେହ ଦିଲ୍ଲୀରେ ଆସି ପହଞ୍ଚିବା ପରେ ସେଠାରୁ ଆଜି ସକାଳେ କୋଲ‌କାତା ଦମଦମ ବିମାନ ବନ୍ଦରରେ ପହଞ୍ଚିଥିଲା। ରାଜ୍ୟ ସରକାରଙ୍କ ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ, ବିବେକ ପଟ୍ଟନାୟକ, ଭୋଗରାଇ ବିଧାୟକଙ୍କ ପ୍ରତିନିଧି ଯୋଗେନ୍ଦ୍ର ପାଳ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ମହାନ୍ତି, ମୃତକଙ୍କ ସମ୍ପର୍କୀୟ  ସେକ୍‌ ନଜରୁଲ, ସେକ ଅମଲ୍‌, ସେକ ସଦିନ୍‌, ୟୁନିସ୍‌ ଅଲ୍ଲୀ, ସେକ୍‌ ସଲକନ୍‌ ପ୍ରମୁଖଙ୍କ ଉପସ୍ଥିତିରେ ବିମାନବନ୍ଦରରୁ ଦୁଇଟି ଯାକ ଶବକୁ ଆମ୍ବୁଲାନ୍ସ ଯୋଗେ ନିଜ ନିଜ ଗାଁକୁ ନିଆଯାଇଥିଲା। ମୃତକ ଦୁଇ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପକ୍ଷରୁ ୨୫ ହଜାର ଲେଖାଏଁ ସହାୟତା ଦିଆଯାଇଛି। ଶୋକାକୁଳ ପରିବେଶରେ ଉଭୟଙ୍କ ଶବକୁ ପରମ୍ପରା ଅନୁଯାୟୀ କବର ଦିଆଯାଇଛି।

ସମ୍ବନ୍ଧିତ ଖବର