ବାଇକ୍ ମୁହାଁମୁହିଁ ଧକ୍କା,୨ମୃତ

ରାଇରଙ୍ଗପୁର/ବାଦାମପାହାଡ଼: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡ଼ା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, ଜାମଦା ବ୍ଲକର ହେସଁଡା ପଞ୍ଚାୟତ ମାଟିଆଳି ଗ୍ରାମର ମାମୁ ଗିରୀଶ ପାତ୍ର, ଭଣଜା ଗୁରୁପ୍ରସାଦ ପାତ୍ର ଏବଂ ଅନ୍ୟ ଜଣେ ଦାମୋଦର ପୂର୍ତ୍ତି ରାଇରଙ୍ଗପୁରରୁ ବାଇକ୍‌ରେ ହାଟବାଦଡ଼ା ଯାଉଥିବାବେଳେ ସାମନା ପଟୁ ବାଇକ୍‌ରେ ଆସୁଥିବା ବାଦାମପାହାଡ଼ ଅଞ୍ଚଳର ଶିକ୍ଷକ ପବିତ୍ରମୋହନ ମହାନ୍ତଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣାସ୍ଥଳରେ ପବିତ୍ରମୋହନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ବାଇକ୍‌ରେ ଥିବା ଗିରୀଶଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବାଇକ୍‌ରେ ଥିବା ଗିରୀଶଙ୍କ ଭଣଜା ଗୁରୁପ୍ରସାଦ ପାତ୍ର(୮)ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବାଇକ୍‌ ଦୁଇଟି ଓଆର୍‌୧୧ଜେ-୦୬୭୯ ଏବଂ ଓଆର-୧୧ଜେ-୬୨୩୬କୁ ହାଟବାଦଡ଼ା ଫାଣ୍ଡି ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଏନେଇ ଥାନାରେ କେସ ନଂ ୮୫/୨୨ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ରାଇରଙ୍ଗପୁର-ଯଶିପୁର ରାସ୍ତାର ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ସମ୍ବନ୍ଧିତ ଖବର