ସଡ଼କ ଦୁର୍ଘଟଣାରେ ୨ ମୃତ

ସିନ୍ଧେକେଲା: ଗୁରୁବାର ବିଳମ୍ବିତ ରାତି‌ରେ ଭବାନୀପାଟଣା- ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ବଲାଙ୍ଗୀର ଜିଲ୍ଲା କୁରସୁଡ଼ ନିକଟ ବାଲିପଦର ଛକ ପାଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଭାନପୁର ଗାଁର ସୁରେନ୍ଦ୍ର ଥପା (୨୨ବର୍ଷ) ଓ ଅଜିତ ଥପା (୨୩ବର୍ଷ)। ଉଭୟେ ବାଇକ (ଓଡି ୦୩ ପି ୧୫୬୭) ଯୋଗେ କଳାହାଣ୍ଡି ଜିଲ୍ଲା ପଛରାପଦରକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଗାଁକୁ ଫେରୁଥିବା ବେଳେ କୁରସୁଡ଼ ନିକଟ ବାଲିପଦର ଗାଁ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଭାରୀଯାନ ସେମାନଙ୍କୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି। ଖବର ପାଇ ଆମ୍ବୁଲାନ୍ସ ଓ ସିନ୍ଧେକେଲା ପୁଲିସ ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶଥାଉ କି, ସୁରେନ୍ଦ୍ର ବର୍ଷେ ତଳେ ବିବାହ କରିଥିଲେ ଓ ତାଙ୍କ ଏକ ଶିଶୁପୁତ୍ର ଅଛି। ସେହିପରି ଅଜିତ ମାତ୍ର ୩ ମାସ ତଳେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର