ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଗଲା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣା ଘଟି ୨ଜଣଙ୍କ ଜୀବନ ଯାଇଛି। ବୁଧବାର ରାତି ପ୍ରାୟ ୮ଟାରେ ଡାବୁଗାଁ ଥାନା ଝରିଗୁଡା ନିକଟରେ ଟ୍ରକ ଧକ୍କାରେ ସୋନପୁର ଜିଲ୍ଲାର ଲୋକନାଥ ତ୍ରିପାଠି ନାମକ ଜଣେ ପୋଷ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ସେ ଧୋଡରାରେ ରହି ସିଂସାରିରେ କାର୍ଯ୍ୟକରୁଥିଲେ।  ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଟ୍ରକ ଜବତ କରିବା ସହ ତଦନ୍ତ କରୁଛନ୍ତି। ଲୋକନାଥ କୌଣସି କାର୍ଯ୍ୟ ପାଇଁ ସକାଳେ ଓଡ଼ି ୧୫ ଏଲ୍ ୪୩୮୫ ନଂ. ବାଇକରେ ଜୟପୁରରୁ କାର୍ଯ୍ୟସାରି ଡାବୁଗାଁ ଦେଇ ଧୋଡରା ଫେରୁଥିବାବେଳେ ଓଆର ୧୦ ଜି ୧୯୦୩ ନଂ. ବିଶିଷ୍ଟ ଏକ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ସେ ଛିଟିକି ପଡିବାରୁ ତାଙ୍କର ଅଧିକ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଟ୍ରକ ଓ ବାଇକକୁ ଜବତ କରି ଏକ ମାମଲା ରୁଜୁ କରିଛି। ଶବକୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

ସେହିପରି ଉକ୍ତ ଥାନା  ପାଞ୍ଜିଆରିଗୁଡ଼ା ଗ୍ରାମ  ନିକଟରେ ମଙ୍ଗଳବାର ଚଳନ୍ତା ଟ୍ରାକ୍ଟରରୁ ଖସି ସେହି ଗାଁର ସୂର୍ଯ୍ୟନାରାୟଣ ଭତରା (୪୫)ଙ୍କ ଜୀବନ ଯାଇଛି। ମୃତ ସୂର୍ଯ୍ୟନାରାୟଣଙ୍କ ସମ୍ପର୍କୀୟ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଟଏଁଲାଗୁଡ଼ା ଗ୍ରାମରୁ ଓଡ଼ି ୨୪ ଏଫ୍ ୩୮୬୧ ନଂ. ବିଶିଷ୍ଟ ଏକ ଟ୍ରାକ୍ଟରରେ ଟ୍ରାକ୍ଟର ଡ୍ରାଇଭର ସନଧର ଭତରା ଓ ସୂର୍ଯ୍ୟନାରାୟଣ ପାଞ୍ଜିଆରିଗୁଡ଼ାକୁ ଯାଉଥିଲେ। ଦୁଇ ଗାଁ ମଝିରେ ଥିବା ହମ୍ପସ ନିକଟରେ ସୂର୍ଯ୍ୟନାରାୟଣ ଟ୍ରାକ୍ଟରରୁ ଖସି ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଡାବୁଗାଁ ହସ୍ପିଟାଲ ପରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସୂର୍ଯ୍ୟଙ୍କ ସମ୍ପର୍କୀୟ ପୀତବାସ ମାଝି ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ନଂ.୧୧୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ତଦନ୍ତକାରୀ ଅଧିକାରୀ ପୁଷ୍ପଲତା ସୁନାନୀ କହିଛନ୍ତି।

ସମ୍ବନ୍ଧିତ ଖବର