କୋରେଇ/ରଗଡ଼ି/ଚଣ୍ଡିଖୋଲ: ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହରେ ଆଜି ଯାଜପୁର ଜିଲ୍ଲାରେ ଦୁଇଜଣଙ୍କ ଜୀବନ ଯାଇଛି। କୋରେଇ ଥାନା ଜଳନ୍ଦା ଗ୍ରାମର କାଠି ଜେନା (୬୨) ଓ ବୈରୀ ଥାନା ଝାଟିଆ ସାହି ନିକଟରେ ଜଣେ ଅଜଣା ବ୍ୟକ୍ତି ( ଆନୁମାନିକ ୪୦)ଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଖରାରେ କାମ କରୁଥିବା ବେଳେ ବୃଦ୍ଧ କାଠି ଜେନା ଟଳି ପଡ଼ିଥିଲେ। ସେ ଜଣେ ଦିନ ମଜୁରିଆ। ଆଜି ଗ୍ରାମର ଜନୈକ ବ୍ୟକ୍ତିଙ୍କର ଘରେ ମୂଲ ଲାଗିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୨ଟାରେ ମୁଣ୍ତ ବୁଲାଇ ସଂଜ୍ଞାହୀନ ହୋଇପଡ଼ିଥିଲେ।

Advertisment

ପାଣି ଛାଟିଥିଲେ ବି ଚେତା ଫେରିନଥିଲା। ସାହିର ଜଳଧର ଜେନା, ହଳଧର ଜେନା, ଅଜୟ ଜେନା, ଅଭିନ୍ନ ଜେନା, ପ୍ରଦୀପ ଜେନା ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମାନସ କୁମାର ଧଳ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଭବାନୀଶଙ୍କର ଦାସଙ୍କୁ ପଚାରିବାରୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ କାଠିଙ୍କ ମୃତ୍ୟୁ ହୋଇଥିଲା ଏବଂ ଗ୍ରୀଷ୍ମପ୍ରବାହରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି। ପରିବାର ଲୋକ ଶବ ବ୍ୟବଚ୍ଛେଦ ନକରି ଶେଷକୃତ୍ୟ କରିଦେଇଥିବା ଜଣାପଡ଼ିଛି। କାଠିଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ତୁଳସୀ ଅସହାୟ ହୋଇପଡ଼ିଛନ୍ତି।

ସେହିପରି ବଡ଼ଚଣା ବ୍ଲକ ତଥା ବୈରୀ ଥାନା ଅନ୍ତର୍ଗତ ଝାଟିଆସାହି ନିକଟ ଏକ ଗଛ ତଳେ ବିଶ୍ରାମ ନେବା ଅବସ୍ଥାରେ ଜେଣ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରେ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ପାଇଁ ସେଠାରେ ୩ ଦିନ ପର୍ଯ୍ୟନ୍ତ ମୃତଦେହ ରଖାଯିବ ବୋଲି ବୈରୀ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ସୂଚନା ଦେଇଛନ୍ତି। ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।