ପ୍ରେମ ପାଇଁ ୨ ଜୀବନ ଗଲା: ପ୍ରେମିକାର ମୃତ୍ୟୁ ଜାଣିବା ପରେ ରଶି ଲଗାଇ ଝୁଲିପଡିଲେ ପ୍ରେମିକ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ସଦର ଥାନା ପରିଖି ଫାଣ୍ଡି ଅନ୍ତର୍ଗତ କୋୟାକୋଦଳା ଗ୍ରାମରେ ଗତକାଲି ମଧ୍ୟରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଭଗବାନ ମାଝୀଙ୍କୁ ପୁଅ ଦାମୁ ମାଝୀ (୨୪)ଙ୍କ ମୃତଦେହ ତାଙ୍କ ବାଡ଼ିରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ପରିବାର ଲୋକେ ଏହା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଅନ୍ୟପକ୍ଷରେ ଏହି ଗ୍ରାମରୁ ଗତ ୧୩ ଦିନ ପୂର୍ବରୁ ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ଗତକାଲି ଅପରାହ୍‌ଣରେ ବାଲିଆପାଳ ଥାନା ବଡ଼ତାଳପଦା ଗ୍ରାମରୁ ଉଦ୍ଧାର କରାଯାଇଥିଲା। ଉକ୍ତ ଗ୍ରାମର ବଲୁ ଦଳେଇ ନାମକ ଜଣେ ବ୍ୟକ୍ତି ନାଳରେ ଜାଲ ପକାଉଥିବା ବେଳେ ସେହି ଜାଲରେ ନାବାଳିକା ଜଣକ ମୃତଦେହ ଲାଗିଥିଲା।

ବଲୁ ଏ ସମ୍ପର୍କରେ ବାଲିଆପାଳ ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପରେ ନାବାଳିକାଜଣକ ମୃତଦେହ ଡାକ୍ତରଖାନାକୁ ପଠାଇବା ପରେ ସେ ‌କୋୟାକୋଦଳା ଗ୍ରାମର ସେହି ନିଖୋଜ ନାବାଳିକା ବୋଲି ଜଣାପଡ଼ିଥିଲା। ତାଙ୍କ ନିଖୋଜ ରହିବା ଘଟଣା ସ୍ଥାନୀୟ ପରିଖି ଫାଣ୍ଡି‌େର ପରିବାର ପକ୍ଷରୁ ଲିଖିତ ଭାବେ ଜଣାଯାଇଥିଲା। ନାବାଳିକାଜଣକ ୧୩ ଦିନ ଧରି ନିଖୋଜ ରହିବା ପରେ ନାଳରୁ ତାଙ୍କ ଶବ ଜବତ ହେବା ଘଟଣା ପଛରେ ନିଶ୍ଚିତ କିଛି ରହସ୍ୟ ଲୁଚିରହିଥିବା ବେଳେ ତାଙ୍କୁ ବିଧିବଦ୍ଧ ଯୋଜନା ମୁତାବକ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ନାବାଳିକାଙ୍କ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକ ପୁଲିସ ନିକଟରେ ଭଗବାନ ମାଝୀଙ୍କ ପୁଅ ଦାମୁ ଉପ‌ରେ ସନ୍ଦେହ କରୁଥିବା ଜଣାଇଥିଲେ। ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ। ସେଥିରେ ପରିବାର ଲୋକ ରାଜି ନଥିବାରୁ ଦାମୁ ତାଙ୍କୁ ଅପହରଣ କରିଥାଇପାରେ ବୋଲି ପୁଲିସ ନିକଟରେ ସେମାନେ ଜଣାଇଥିଲେ।

ଏପରି ସ୍ଥିତିରେ ଦାମୁ ପୁଲିସ ସ୍କାନରରେ ଏବଂ ନିଜ ପ୍ରେମିକାଙ୍କ ନିଖୋଜ ହେବା ନେଇ ମାନସିକ ଚାପଗ୍ରସ୍ତ ଥିବା ବେଳେ ଗତକାଲି ହଠାତ୍‌ ପ୍ରେମିକାର ମୃତଦେହ ବାଲିଆପାଳ ଅଞ୍ଚଳରୁ ଜବତ ‌କରାଯାଇଥିବା ଖବର ତାଙ୍କୁ ଆହୁରି କଷ୍ଟ ଦେଇଥିଲା। ସେଥିଲାଗି ସେ ଗତକାଲି ରାତିରେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପରିବାର ତଥା କୋୟାକୋଦଳା ଗ୍ରାମବାସୀ ଆଲୋଚନା କରୁଛନ୍ତି। ସେପଟେ ଉଭୟଙ୍କ ମୃତଦେହ ଡାକ୍ତରଖାନାରୁ ବ୍ୟବଚ୍ଛେଦ କରାଯାଇ ଗାଁକୁ ଅଣାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ସହ ପୁଲିସର ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ପଛର ରହସ୍ୟ ସାମ୍‌ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର