କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର-ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ଅନ୍ତର୍ଗତ ତାଲପଦର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଇଚ୍ଛାପୁର ଗ୍ରାମର ଦୂତୀବାନ ପୂଜାରୀ ଏବଂ ଟିକେମଣି ପାତ୍ର। ଶୁକ୍ରବାର ସନ୍ଧ୍ୟାରେ ତାଲପଦର ନିକଟରେ ଦୁଇଟି ବାଇକ୍ (ଓଆର୍ ୦୮ଏଚ-୨୩୪୦) ଏବଂ (ଓଆର୍ ୦୮ଏଫ୍ ୩୦୪୫) ମଧ୍ୟରେ ମୁହାଁମୁହଁ ଧକ୍କା ହୋଇଥିଲା।
ଏଥିରେ ଦୂତୀବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟିକେମଣି ପାତ୍ରଙ୍କୁ କଲମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଶବ ଦ୍ବୟକୁ ଡାକ୍ତରଖାନାରେ ରଖାଯାଇଛି। ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ଫାଣ୍ଡି ଅଧିକାରୀ ଡୋଳାମଣି ବିଶି ସୂଚନା ଦେଇଛନ୍ତି।