କବାଟବନ୍ଧ : ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଜାରକା-କବାଟବନ୍ଧ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ଆଜି ସଂଧ୍ୟାରେ ଦୁଇଟି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ନାକପୋଲ(ଗଙ୍ଗାଧରପୁର) ଗ୍ରାମର କାର୍ତ୍ତିକ ଦାସଙ୍କ ପୁଅ ସୁଶାନ୍ତ(୩୬) ଓ ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ଗ୍ରାମର ଦିଲୀପ ମଲିକ(୩୦)। ଜେନାପୁର ଥାନା କୁସ୍ତିରା ପୋଲ ନିକଟରେ ପ୍ରଥମ ଦୁର୍ଘଟଣା ଘଟିଥିଲା। ଏଥିରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ମାମୁଁଘର ବ୍ରାହ୍ମଣବାଡ଼ିରୁ ବାଇକ୍ରେ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଆଜି ସଂଧ୍ୟାରେ ଜେନାପୁର ଠାରେ ଦୁର୍ଘଟଣା ଘଟି ହାତୀବାରି ଗ୍ରାମର ଦିଲୀପ ମଲିକଙ୍କର ମୃତ୍ୟୁ ହୋଇଥିଲା। ସେ ଏକ ବାଇକ୍ରେ ଜେନାପୁରରୁ ଘରକୁ ଫେରୁଥିବା ବେଳେ ନଦୀବନ୍ଧ ରାସ୍ତାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜେନାପୁର ପୁଲିସ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଦିଲୀପଙ୍କ ଦୁର୍ଘଟଣା ସମୟରେ ଏହି ରାସ୍ତାରେ ଯାଉଥିବା ଏରସଣ୍ତା ଗ୍ରାମର ଅନ୍ୟଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ସେ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଘଟଣାରେ ଜେନାପୁର ପୁଲିସ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc.jpg)