ବଣ୍ଡାଘାଟିରେ କମାଣ୍ଡର ଓଲଟି ୨ ମୃତ

ମାଲକାନଗିରି/ଖଇରପୁଟ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଆଜି ସଂଧ୍ୟାରେ ଗୋଟିଏ କମାଣ୍ଡର ବ୍ରେକ୍ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାହାଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ରୁ ଊର୍ଧ୍ବ ଆହତ ହୋଇଥିବା ବେଳେ ସେଥିରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗାଡ଼ିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି ସୂଚନା ମିଳିଛି। ମୁଦୁଲିପଡ଼ା ପୁଲିସ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ, ଆଜି ସକାଳେ ମୁଦୁଲିପଡ଼ା ଅଞ୍ଚଳର କିଛି ଲୋକ ‌ମାଲକାନଗିରି ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସଂଧ୍ୟାରେ ସେମାନେ ଗୋଟିଏ କମାଣ୍ଡର ଯୋଗେ ଗାଁକୁ ଫେରୁଥିଲେ। ମାଙ୍କଡ଼ ଝୋଲା ଉପର ପୋଡ଼ା ବ୍ରିଜ ନିକଟରେ ଗାଡ଼ି ଘାଟି ଚଢ଼ିବା ସମୟରେ ହଠାତ୍ ବ୍ରେକ୍ ଫେଲ ହୋଇଯାଇଥିଲା। ତେଣୁ ଗାଡ଼ି ଆଗକୁ ବଢ଼ିବା ପରିବେର୍ତ ପଛକୁ ଗଡ଼ିବା ଆରମ୍ଭ କରିଥିଲା। ଏଥିରେ ଭୟଭୀତ ହୋଇ ଗାଡ଼ି ଛାତ ଉପରେ ବସିଥିବା ଯାତ୍ରୀମାନେ ତଳକୁ ଡେଇଁବା ଆରମ୍ଭ କରିଥିଲେ। ତେବେ ତଳକୁ ଡେଇଁବା ସମୟରେ ମୁଣ୍ଡରେ ଗଭୀର ଆଘତ ଲାଗିବାରୁ ନନ୍ଦ ଧାଙ୍ଗଡାମାଝୀ ଏବଂ ଜଗନ୍ନାଥ ଭୂମିକାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ କମାଣ୍ଡର ପଛକୁ ଗଡ଼ି ରାସ୍ତା କଡ଼କୁ ଖସି ପଡ଼ିବା ସହ ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକ ପହଞ୍ଚି ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ବଳଭଦ୍ର ଖିଲ, ପଦମା ଖିଲ ଓ ମଙ୍ଗୁ ମାଝୀଙ୍କ ସହ ଅନ୍ୟ ଜଣଙ୍କର ଅବସ୍ଥା ଉଦବେଗ ଜନକ ରହିଥିବାରୁ ପରବର୍ତୀ ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ମୁଦୁଲିପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର