ତୁମୁଡିବନ୍ଧ : ଆମ୍ବୁଲାନ୍ସ ଧକ୍କାରେ ୨ ମୃତ, ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ମୁଖ୍ୟ ବଜାର ୫୯ ନମ୍ବର ଜାତୀୟରାଜପଥରେ ଆଜି ଅପରାହ୍‌ଣ ସାଢ଼େ ୩ଟାରେ ଏକ ଘରୋଇ ଆମ୍ବୁଲାନ୍ସ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମୁଣ୍ଡିଗଡ଼ ଗ୍ରାମର ମଗୁସିର ବଡ଼ସେଟଙ୍କ ପୁଅ ତଥା ଗାଁସାଥୀ ପ୍ରଭାତ ବଡ଼ସେଟ ଓ ଗାଚେରୀ ଗାଁର ନୀଳିମା ମାଝୀ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକମାନେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥକୁ ଟାୟାର୍ ଜାଳି ଅବରୋଧ କରିଛନ୍ତି। ଚେକ୍‌ପୋଷ୍ଟ ନିର୍ମାଣ ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରି ଗ୍ରାମବାସୀ ଅବ‌ରୋଧ ଜାରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ଉତ୍ତେଜନା ଜାରି ରହିଛି।

ଆଜି ୧୫ ତାରିଖ ଥିବାରୁ କିଛି ବୁଢ଼ାବୁଢ଼ୀ ଭତ୍ତା ଟଙ୍କା ଆଣିବା ପାଇଁ ମୁଣ୍ଡିଗଡ଼ ପଞ୍ଚାୟତକୁ ଯାଇଥିଲେ। ଭତ୍ତା ଟଙ୍କା ଆଣିବା ପରେ ଗାଁସାଥୀ ପ୍ରଭାତ ଗୋଟିଏ ବାଇକ୍‌ରେ ତାଙ୍କ ପତ୍ନୀ ରିବିକା ମାଝୀ, ଗାଚେରୀ ଗାଁର ନୀଳିମା ମାଝୀ ଓ ଦୁଇଟି ଛୁଆଙ୍କୁ ବସାଇ ମୁଣ୍ଡିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ଜାତୀୟ ରାଜପଥ ଆଡ଼କୁ ଆସୁଥିଲେ। ଏହି ସମୟରେ କଳାହାଣ୍ଡିପଟୁ ରୋଗୀ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ହଠାତ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ଆରୋହୀ ପ୍ରଭାତଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ନୀଳିମା, ରିବିକା ଓ ଦୁଇଶିଶୁଙ୍କୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ନୀଳିମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିବିକା ଓ ୨ଶିଶୁଙ୍କୁ ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଅପରାହ୍‌ଣ ସାଢ଼େ ୩ଟାରେ ଦୁର୍ଘଟଣା ଘଟିଥିବା ବେଳେ ରାତି ୯ ସୁଦ୍ଧା ରାସ୍ତାରୋକ ହଟିପାରିନି। ଗ୍ରାମବାସୀଙ୍କ ଦାବି ମୁତାବକ ମୁଣ୍ଡିଗଡ଼ ବିଦ୍ୟାଳୟ ଓ ମା’ଭୈରବୀ ଉଚ୍ଚବିଦ୍ୟାଳୟ ଜାତୀୟ ରାଜପଥ କଡ଼ରେ ରହିଛି। ଏହି ରାସ୍ତାରେ ଅନେକ ଯାତ୍ରୀବାହୀ ବସ୍ ଓ ମାଲବାହୀ ଟ୍ରକ୍ ପ୍ରତିଦିନ ଯାତାୟାତ କରୁଛି। ତେଣୁ ଦୁର୍ଘଟଣା ରୋକିବାକୁ ତୁରନ୍ତ ଏଠାରେ ଏକ ଚେକ୍‌ପୋଷ୍ଟ ନିର୍ମାଣ ସହ ମୃତକଙ୍କ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ପଥର ଓ କାଠ ପକାଇବା ସହ ଟାୟାର୍ ଜାଳି ବସି ରହିଛନ୍ତି। ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର, ତହସିଲଦାର ଚନ୍ଦ୍ରହାସ ନାୟକ, ତୁମୁଡ଼ିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର