ଶିକାର ହେଲେ ଶିକାରୀ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ମୃତ

ବନ୍ତଳା: ବନ୍ତଳା ଥାନା କଞ୍ଜା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଫାଶ ବିଛାଇ ବନ୍ୟପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବା ଦୁଇ ଯୁବକ ସେହି ଫାଶ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତ ଯୁବକ ଦୁଇଜଣ ହେଉଛନ୍ତି ଗାଁର କବୀନ୍ଦ୍ର ଗଡ଼ନାୟକ(୪୦) ଓ ମହେଶ୍ବର ବିଶ୍ବାଳ(୨୩)। ପୁଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରୁ ବିଦ୍ୟୁତ୍‌ ତାର ଓ ଶାବଳ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବନ୍ତଳା ବନାଞ୍ଚଳରେ ଦୁର୍ବୃତ୍ତମାନେ ୧୧ କେଭି ବିଦ୍ୟୁତ୍‌ ଲାଇନ୍‌ରେ ହୁକ ପକାଇ ବନ୍ୟଜୀବ ଶିକାର କରୁଛନ୍ତି। ଗତରାତିରେ କବୀନ୍ଦ୍ର ଓ ମହେଶ୍ବର ଅନ୍ୟ କେତେକ ଯୁବକ ଗାଁଠାରୁ କିଛି ଦୂରରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ବିଦ୍ୟୁତ୍‌ ତାର ବିଛାଇଥିଲେ। ଆଜି ସକାଳେ ଗାଁର କେତେକ ଲୋକ ଗ୍ରାମର ଶାମୁକା ବନ୍ଧକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ କବୀନ୍ଦ୍ରଙ୍କ ମୃତ୍ୟୁଦେହ ପଡ଼ିଥିବା ଦେଖିଥିଲେ। ସେଠାରୁ ପ୍ରାୟ ୫ ଶହ ମିଟର ଦୂରରେ ମହେଶ୍ବରଙ୍କ ମୃତଦେହ ପଡ଼ିଥିଲା। କବୀନ୍ଦ୍ର ଜୀବିତ ଥିବା ଆଶାକରି ପରିବାର ସଦସ୍ୟ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କ ମୃତ୍ୟୁରେ ଗାଁରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର