ବାଇକ-ଟ୍ରାକ୍ଟର ମୁହାଁମୁହିଁ, ୨ ମୃତ

ଝରିଗାଁ/ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ପୁର୍ଲା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଚାପାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ଡାବୁଗାଁ ଥାନା ଅଧୀନସ୍ଥ ଚାଟିଗୁଡା ଗାଁର ସଦା ପନକା (୧୮) ଓ ଭଦର ପନକା(୧୮) ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଦୀର୍ଘ ୬ଘଣ୍ଟା ଧରି ରାସ୍ତାରୋକ କରିଥିଲେ।

ସୂଚନା ଅନୁଯାୟୀ, ସଦା ଓ ଭଦର ଆଜି ସକାଳେ ପଟ୍ରୋଲ କିଣିବା ପାଇଁ ବାଇକରେ ଧୋଡ୍ରା ଆସିଥିଲେ। ପ୍ରାୟ ୧୦ଟା ବେଳେ ଦୁହେଁ ପୁଣି ଗାଁକୁ ଫେରିବା ସମୟରେ ଚିପ୍ସ ବୋଝେଇ ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକ ସଦା ଓ ଭଦରକୁ ଉଦ୍ଧାର କରି ଉମରକୋଟ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁର୍ଲା ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ଯାଇଥିଲା। ମୃତକଙ୍କ ପରିବାରକୁ ମୋଟ ୩ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର