ବାରିପଦା/ସାରସକଣା : ବାର୍ହା ଶିକାର ପାଇଁ ତିଆରି କରୁଥିଲେ ବୋମା। ହେଲେ ସେହି ବୋମା ହିଁ ଜଣଙ୍କର ଜୀବନ ନେଇଗଲା ଓ ଦୁଇ ଜଣ ଗୁରୁତର ଆହତ ହେଲେ। ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜଟିଆଶୋଳ ଗ୍ରାମରେ ଘଟିଛି ଏହି ଘଟଣା। ମୃତ ଯୁବକ ଜଣକ ହେଲେ ଗ୍ରାମର ଦାସ ଟୁଡ଼ୁ (୩୫)। ଆହତ ଭୋକ ସୋରେନ୍ ଓ ଯଦୁ ମୁର୍ମୁ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ବୋମା ଫୁଟାଇ ବାର୍ହା ଶିକାର ପାଇଁ ଏହି ୩ ଜଣ ପୂର୍ବରୁ ଯୋଜନା କରିଥିଲେ। ଗତକାଲି ଦାସ ଟୁଡୁ ନିଜ ଘର ପାଖରେ ବୋମାରେ ବାରୁଦ ଭର୍ତ୍ତି କରୁଥିବାବେଳେ ତାର ଦୁଇ ସାଙ୍ଗ ପାଖରେ ବସିଥିଲେ। ହଠାତ୍ ବାରୁଦରେ ନିଆଁ ଧରିଯିବାରୁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସାରା ଗାଁ ଥରି ଉଠିଥିଲା। ଶବ୍ଦ ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୩ ଜଣ ଯାକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଦାସ ଓ ଯଦୁଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯିବା ବେଳେ ମୁର୍ଗାବାଡି ନିକଟରେ ଦାସ ଟୁଡୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକେ ଯଦୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ବିସ୍ଫୋରଣ ଘଟଣାକୁ ଚପାଇବାକୁ ଉଦ୍ୟମ କରି ଦାସଙ୍କ ମୃତଦେହ ବାଟରୁ ଫେରାଇ ଆଣିଥିଲେ। ତେବେ, ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ତାଳଫୋଟକା ତିଆରି ବେଳେ ବିସ୍ଫୋରଣ, ଜଣେ ଯୁବକଙ୍କ ମୃତ
କିଶନନଗର : କିଶନନଗର ଥାନା ଅଧୀନ ସାମନ୍ତରାପୁର ଲେଙ୍କାସାହିରେ ଦୀପାବଳି ପାଳିବା ପାଇଁ ତାଳଫୋଟକା ତିଆରି ସମୟରେ ବାରୁଦ ବିସ୍ଫୋରଣ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ଲେଙ୍କାସାହିର ବିଭୂତି ଭୂଷଣ ଲେଙ୍କା(୩୯) ବୋଲି ଜଣାପଡ଼ିଛି।
ଦୀପାବାଳି ଉତ୍ସବରେ ତାଳଫୋଟକା ଫୁଟାଇବା ପାଇଁ ଆଜି ଦିନ ପ୍ରାୟ ସାଢ଼େ ୧ଟାରେ ବିଭୂତି ନିଜ ଘର ସମ୍ମୁଖ ଚଉରାରେ ବସି ବାରୁଦ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହିତ ବିସ୍ଫୋରଣ ହୋଇଥିଲା। ଫଳରେ ଚଉରାଟି ଭାଙ୍ଗି ଯାଇଥିଲା ବେଳେ ବିଭୂତି ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ କିଶନନଗର ଥାନାକୁ ଖବର ଦେଇଥିଲେ। ପରେ ଥାନା ପିସିଆର ଭ୍ୟାନ୍ରେ ବିଭୂତିଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିସ୍ଫୋରଣ କିପରି ଏବଂ କେଉଁଥିରୁ ହୋଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି ବୋଲି ଥାନା ଆଇଆଇସି ବାମଦେବ ସ୍ବାଇଁ ସୂଚନା ଦେଇଛନ୍ତି। ଅପରପକ୍ଷରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବିଭୂତିଙ୍କର ପତ୍ନୀ ଓ ୧୨ ବର୍ଷର ପୁଅ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/19_08_2017-khordha-blast.jpg)