ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବାଣ ଫୁଟି ଦୁଇ ଯୁବକ ମୃତ

ବାଣ ବାଜି ନାବାଳକ ଗୁରୁତର

ଖଲ୍ଲିକୋଟ/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ହରିଜନ ସାହିର ଏକ ଘରେ ଶକ୍ତିଶାଳୀ ବାଣ ଫୁଟି ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସୁମନ୍ତ ଦାସ(୨୪) ଓ ପିଣ୍ଟୁ ଓରଫ ଶ୍ରଦ୍ଧେୟ ଦାସ(୨୫)।

ଗତକାଲି ଦୀପାବଳି ରାତିରେ ଉଭୟ ସାଙ୍ଗ ସାହିର ଏକ ଘରେ ବସି ଥିଲେ। ଅଚାନକ ଏକ ଶକ୍ତିଶାଳୀ ବାଣ ବିସ୍ଫୋରଣ ହେବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ବାମ ହାତ ନଷ୍ଟ ହୋଇଥିଲା। ଚିକିତ୍ସା ନିମନ୍ତେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମୁନ୍ତଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ କଟକ ସ୍ଥାନାନ୍ତର ହୋଇଥିବା ପିଣ୍ଟୁଙ୍କର ମଧ୍ୟ ଏସ୍‌ସିବି ମେଡିକାଲ୍‌ରେ ଆଜି ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ଉକ୍ତ ଘରଟି ଏକ ବେଆଇନ ବାଣ ତିଆରି କାରଖାନା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି। ଦୁଇ ଯୁବକ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ପ୍ରାଥମିକ ତଦନ୍ତରୁ ସେମାନେ ବାଣ ଭିଡୁଥିବା ବେଳେ ଅସାବଧନତା ବଶତଃ ବିସ୍ଫୋରଣ ଘଟିଥିବା କିମ୍ବା

ପୂର୍ବରୁ ରଖା ଯାଇଥିବା ବାଣ ଧରିଥିବା ବେଳେ ଫୁଟି ଯାଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଏକ ଅଘଟଣରେ ବାଣ ଫୁଟାଉଥିବା ଗୋଟାଏ ୧୦ ବର୍ଷର ବାଳକ ମଧ୍ୟ ଆହତ ହୋଇଛନ୍ତି। ଆହତ ବାଳକ ହେଉଛନ୍ତି ଖଲ୍ଲିକୋଟ ବ୍ଲକ୍‌ ଖଜାପଲ୍ଲୀ ଗ୍ରାମର ମୁନା ଜେନା(୧୦)। ଦୀପାବଳିରେ ମୁନା କଇରାଶି ଗାଁସ୍ଥିତ ତାଙ୍କ ମାମୁ ଘରକୁ ଯାଇ ବାଣ ଫୁଟାଉଥିଲେ। ଗୋଟାଏ ସଟ୍‌ ବାଣ ବାଜିବାରୁ ତାଙ୍କ ମୁହଁ ଓ ବେକ ପୋଡ଼ି ଯାଇଛି। ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରା ଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର