ବଜ୍ରପାତରେ ଟ୍ରାକ୍ଟର ଡ୍ରାଇଭରଙ୍କ ସମେତ ୨ ମୃତ

ବଡ଼ସାହି/ମାଣତ୍ରୀ : ବଡ଼ସାହି ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ ଶଯ୍ୟାର ନିଶ୍ଚିନ୍ତପୁର ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଆଣିବାକୁ ଯାଇ ଆଜି ଅପରାହ୍ନରେ ଘଟିଯାଇଥିବା ବଜ୍ରପାତରେ ଡ୍ରାଇଭର ଓ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେଠାରେ ଉପସ୍ଥିତଥିବା ଅନ୍ୟ ୪ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଅନ୍ୟ ୩ ଜଣ ବର୍ତ୍ତି ଯାଇଛନ୍ତି। ଏକ ଟ୍ରାକ୍ଟରରେ ୬ ଜଣ ଶ୍ରମିକ ଡ଼ିଙ୍ଗିରା ଘାଟ ନିକଟସ୍ଥ ନିଶ୍ଚିନ୍ତପୁର ଘାଟରୁ ବାଲି ଆଣିବାକୁ ଯାଇଥିଲେ। ହଠାତ ବର୍ଷା ପବନ ଆରମ୍ଭ ହୋଇଥିଲା। ଏହି ସମୟରେ ଟ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଟ୍ରାକ୍ଟର ଡାଲା ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ବେଲପାଳ ଗ୍ରାମର ଅଙ୍ଗଦ ବିଶୋଇଙ୍କ ପୁଅ ନିରଞ୍ଜନ ବିଶୋଇ(୩୬) ଓ ରଥ ବିଶୋଇଙ୍କ ପୁଅ ମୁନା ବିଶୋଇ (୨୪)। ଆହତ ଜଣକ ହେଲେ  ସେହି ବେଲପାଳ ଗ୍ରାମର ଧୀରେନ୍ଦ୍ର ବାଗଙ୍କ ପୁଅ ସୁରଥ ବାଗ(୩୦)। ଅନ୍ୟ ୩ ଜଣ ଶ୍ରମିକ ଘଟଣାସ୍ଥଳରୁ ଦୌଡ଼ି ପଳାଇବାରୁ ବର୍ତ୍ତି ଯାଇଛନ୍ତି। ଖବରପାଇ ବଡ଼ସାହି ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତ ଓ ଆହତଙ୍କୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ନିରଂଜନ ଓ ମୁନାକୁ ମୃତ ଘୋଷଣା କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର