ପିକ୍‌ଅପ୍‌ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ବିଶୋଇ: ବିଶୋଇ-ରାଇରଙ୍ଗପୁର ୫୦ ନଂବର ରାଜ୍ୟ ରାଜପଥର ମଧୁପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକଦ୍ବୟ ହେଲେ ବିଶୋଇ ଥାନା ଜେଡେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ୍‌ (୫୦) ଓ କରରାମ ମୁର୍ମୁ (୩୮)। ଗୁରୁତର ଆହତ ବୁଢାନ୍‌ ମୁର୍ମୁ (୨୫) ମଧ୍ୟ ସେହି ଗାଁର ବାସିନ୍ଦା। ସେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉକି, ଉକ୍ତ ୩ ଜଣ ରାସନ୍‌ ଚାଉଳ ଆଣିବା ପାଇଁ ଆଜି ପୂର୍ବାହ୍ନରେ ଏକ ବାଇକ୍‌ ଯୋଗେ ନିଜ ଗାଁ’ରୁ ଲୁହାକାନି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ। ଏହି ସମୟରେ ବାଲେଶ୍ଵରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ ମଧୁପୁର ଛକଠାରେ ଭାରସାମ୍ୟ ହରାଇ ଉକ୍ତ ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ୩ ବାଇକ୍‌ ଆରୋହୀ ଗୁରୁତର ଆଘାତପ୍ରାପ୍ତ ହୋଇ ରାସ୍ତାରେ ପଡ଼ିରହିଥିଲେ। ଘଟଣାସ୍ଥଳରେ ଦାସମାତ୍‌ ହେମ୍ବ୍ରମ୍‌ଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବିଶୋଇ ଦମକଳ କର୍ମଚାରୀ ଓ ପୁଲିସ ୩ ଜଣଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ କରରାମ ମୁର୍ମୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ବିଶୋଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭରକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର