କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ : ୨ ଜୀବନ୍ତ ଦଗ୍ଧ, ଶହ ଶହ କୁକୁଡ଼ା ଜଳିଗଲେ

ନିଆଁରେ ପୋଡି ବୃଦ୍ଧା ମୃତ

ରାୟଗଡା : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମାରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗୋଟିଏ କୁକୁଡା ଫାର୍ମରେ ଅଗ୍ନିକାଣ୍ଡ ଯୋଗୁ ଫାର୍ମ ଭିତରେ ଶୋଇଥିବା ମାଲିକଙ୍କ ସମେତ ୨ ଜଣ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ୨ ଶହରୁ ଊର୍ଧ୍ବ କୁକୁଡା ଜଳି ଯାଇଛନ୍ତି। ଅଗ୍ନିକାଣ୍ଡରେ କୁକୁଡା ଫାର୍ମ ସଂପୂର୍ଣ ଭାବେ ଛାରଖାର ହୋଇଯାଇଛି। ପୁଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଗତକାଲି ରାତିରେ କୁକୁଡା ଫାର୍ମ ମାଲିକ ଗୋକୁଳ ଚନ୍ଦ୍ର ଦୋରା ଓ ସହଯୋଗୀ ଭାଗୀରଥି ପରିଚ୍ଛା କୁକୁଡାଙ୍କୁ ଦାନା ପାଣି ଦେବା ପରେ ଫାର୍ମ ଭିତରେ ଶୋଇ ପଡିଥିଲେ। ଶୀତ ରାତି ଯୋଗୁ ସେମାନେ ନିଜ ଘରକୁ ନ ଫେରି ଫାର୍ମ ପରିସରରେ ଥିବା ଏକ ଛୋଟିଆ ରୁମରେ ଶୋଇ ପଡିଥିଲେ। ବିଳମ୍ବିତ ରାତିରେ କୁକୁଡା ଫାର୍ମରୁ ଧୂଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ପାଟି କରିଥିଲେ। ପାଟି ଶୁଣି ଗ୍ରାମବାସୀ ଦୌଡି ଆସିବା ସହ ଏ ସଂପର୍କରେ ଚନ୍ଦ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଫାର୍ମ ଭିତରେ ଥିବା ଗୋକୁଳ ଓ ଭାଗୀରଥିଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚନ୍ଦ୍ରପୁର ମେଡିକାଲରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବିଷକକଟକ ଖ୍ରୀଷ୍ଟିଆନ୍ ହସ୍ପିଟଲାକୁ ସ୍ଥାନାନ୍ତର କରାଯାଇଥିଲା। ବିଷମକଟକ ମେଡିକାଲରେ ଗୋକୁଳଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଗୀରଥିଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ଭାଗୀରଥିଙ୍କ ମୃତ୍ୟୁ ହୋଇଥିଲା। ଚନ୍ଦ୍ରପୁର ପୁଲିସ୍ ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଫାର୍ମରେ କେମିତି ଅଗ୍ନିକାଣ୍ଡ ଘଟିଲା ସେ ସଂପର୍କରେ କିଛି ସଠିକ୍ ସୂଚନା ମିଳିନି।

ନିଆଁରେ ପୋଡି ବୃଦ୍ଧା ମୃତ

ମନମୁଣ୍ଡା : ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଲାସପୁର ଗ୍ରାମର ଜଣେ ବୃଦ୍ଧା ନିଆଁ ପୋଉଥିବା ବେଳେ ପୋଡ଼ି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ବିଲାସପୁର ଗ୍ରାମର ନୁରା ଗାଇଗରିଆ (୮୦) ନିଆଁ ପୋଉଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯିବାର ସେ ପୋଡ଼ି ଯାଇଥିଲେ। ତାଙ୍କୁ ସଂଗେ ସଂଗେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଆଜି ଭୋର୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର