କେନ୍ଦୁଝର: ବନ୍ୟା ଜଳରେ ଭାସିଗଲା ୨ ଟ୍ରକ ଓ କାର, ୨ ମୃତଦେହ ଉଦ୍ଧାର

ଭିଡିଓ ଦେଖନ୍ତୁ: ବନ୍ୟା ଜଳରେ କେମିତି ଭାସିଗଲା ଧାନ ବୋଝେଇ ଟ୍ରକ

ଆନନ୍ଦପୁର/ପାଟଣା: ଲଘୁଚାପ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟାରେ ୨ଟି ଟ୍ରକ ଓ ଗୋଟିଏ କାର ଭାସିଯାଇଛି। ଏଥିରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲାର କରଂଜିଆରେ ବନ୍ୟା ଯୋଗୁଁ ଏକ ଟ୍ରକ୍‌ ଭାସିଯିବାରୁ ଏଥିରେ ଥିବା ଚାଳକଙ୍କ ମୃତ୍ୟୁ ହୋଇଛି। ବୈତରଣୀ ନଦୀ ନିକଟ ଏକ କଲଭର୍ଟ ଉପରେ ଟ୍ରକ ଯାଉଥିବା ବେଳେ ବର୍ଷା ଜଳ ଭସାଇ ନେଇଛି। ଚାଳକ ପାଣିକୁ ନଡରି ଟ୍ରକ ଚଳାଇ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି।

କେନ୍ଦୁଝର ଜିଲ୍ଲା ପାଟଣା ବଜାର ନିକଟସ୍ଥ ମଙ୍ଗଳପୁର ନାଳ ପୋଲ ଉପରେ ଲଗାଣ ବର୍ଷାରେ ୩ ଫୁଟ ଉଚରେ ପାଣିର ସ୍ରୋତ ଚାଲିଛି। ଫଳରେ ରାଞ୍ଚି- ବିଜୟୱାଡା ରାସ୍ତାରେ ଗମନାଗମନ ଠପ ହୋଇଛି। ପାଟଣା-ଢେଙ୍କିକୋଟ ଓ ପାଟଣା-କରଞ୍ଜିଆ ମଧ୍ୟରେ ଗାଡି ଚଲାଚଳ ବାଧାପ୍ରାପ୍ତ ହୋଇଛି। ଏହାରି ମଧ୍ୟରେ ଅପରାହ୍ନରେ ଢେଙ୍କିକୋଟ ପଟୁ ପାଟଣା ଅଭିମୁଖେ ଆସୁଥିବା ଏକ ଧାନ ବୋଝେଇ ମିନି ଟ୍ରକ ଏହି ନାଳ ଭାସି ଯାଇଛି। ସ୍ଥାନୀୟ ଲୋକେ ତୁରନ୍ତ ଚାଳକକୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତି କରିଛନ୍ତି। ସେ ଏବେ ସୁସ୍ଥ ଥିବା ଜଣାପଡିଛି। ନାଳରେ ଗାଡି ଚାଳକଙ୍କ ଅସାବଧାନତା କାରଣରୁ ଚକ ଖସି ନାଳ ତଳକୁ ଖସିପଡି ଥିଲା। ଧାନ ବୋଝେଇ ହୋଇ ଥିବା ଗାଡିଟି ପାଣି ଭିତରେ ଫସି ରହିଛି। ପ୍ରକାଶଯୋଗ୍ୟ, ଏହି ନାଳ ପୋଲ ଉପରେ ଏକ ସ୍ଥାୟୀ ପୋଲ କାର୍ଯ୍ୟ ନିର୍ମାଣାଧୀନ ଥିବା ବେଳେ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହେଉଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡିହା ପଂଚାୟତର ଜଂଜାଳି ଗାଁ ନିକଟରେ ଜଣେ କାର ଚାଳକଙ୍କ ମୃତଦେହ ପୋଲ ଠାରୁ ୨୦୦ ମିଟର ଦୂରରେ ଥିବା ଏକ ବୁଦା ଭିତରୁ ଉଦ୍ଧାର କରାଯାଇଛି। ଗତକାଲି ରାତି ନାଳର ପୋଲ ଉପରେ ପାଣି ଯାଉଥିଲା। କାର ଚାଳକ ପାଣିକୁ ନଡରି କାର ଚଳାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଛି। ଆଜି ଅପରାହ୍ନ ପ୍ରାୟ ୩ଟାରେ ପୋଲ ଉପରେ ଯାଉଥିବା ସ୍ଥାନୀୟ ଲୋକେ ୧୦୦ ମିଟର ଦୂରରେ ଏକ କାର (ଓଡି୦୫ଏ-୯୮୮୯) ପଡ଼ିଥିବା ଦେଖିଥିଲେ। ଲୋକେ ଖୋଜାଖୋଜି କଲା ବେଳକୁ ଅଳ୍ପ ଦୂରରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

ସମ୍ବନ୍ଧିତ ଖବର