ରେଙ୍ଗାଲି/ରାଉରକେଲା/ବିଶ୍ରା :  ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଠେଲକୁଲି ଥାନା ଲପଙ୍ଗା ଛକରେ ଶୁକ୍ରବାର ଏକ ଟ୍ରେଲର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍‌ ଆରୋହୀ ସମ୍ବଲପୁର ସୁନାପାଲିର ମନୋରଞ୍ଜନ ଓରାମ (୨୨) ଓ ସୁଦାମ ଓରାମ (୨୦)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ମନୋରଞ୍ଜନ ଓ ସୁଦାମ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାହାଘର କାର୍ଡ ବାଣ୍ଟି ବାଇକ୍‌ (ଓଡି ୧୫ଏ-୭୫୫୪)ରେ ସମ୍ବଲପୁର ଫେରୁଥିଲେ। ତେବେ ଲପଙ୍ଗା ନିକଟରେ ଝାରସୁଗୁଡ଼ା ଆଡ଼କୁ ଯାଉଥିବା ଏକ ଟ୍ରେଲର୍‌ (ସିଜି ୧୩ଏଲ୍‌-୫୩୧୫) ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ବୁର୍ଲା ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ୧୦ ନମ୍ବର ରାଜ୍ୟ ରାଜପଥ ଚାରି ଥାକିଆ କରାଯାଉଥିବା ବେଳେ ନିର୍ମାଣକାରୀ ସଂସ୍ଥା ଏଲ୍‌ଆଣ୍ଡଟିର ମନମୁଖୀ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା।

Advertisment

ମାଡ଼ିଗଲା ଟାଟା ଏସି; ୨ ମୃତ

ରାଉରକେଲା/ବିଶ୍ରା : ସନ୍ଧ୍ୟାରେ ବିଶ୍ରା ଥାନା ବାଗଡେଗା ପଞ୍ଚାୟତ ଖଇରଟୋଲା ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ ପାନଦୋକାନକୁ ମାଡ଼ି ଯାଇ ସେଠାରେ ଛିଡ଼ା ହୋଇଥିବା ୨ ଜଣଙ୍କ ପ୍ରାଣ ନେଇଛି। ମୃତକମାନେ ହେଲେ ରାଉରକେଲା ମୁନିସିପାଲ କଲେଜର ସେବାନିବୃତ୍ତ ପିଅନ ଅଗସ୍ତି ଲାକଡା (୬୫) ଓ ମାଲଗୋଦାମର ଅନିଲ ବଡ଼ାଇକ (୩୫)। ଦୁର୍ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ବିଶ୍ରା ପୁଲିସ ଘଟଣାସ୍ଥଳକୁ ଯାଇ ଗାଡ଼ିଟିକୁ ଜବତ କରିଛି। ସୂଚନା ଅନୁସାରେ ସନ୍ଧ୍ୟା ୬ଟା ୪୦ରେ କାଏରକେରା ଗାଁର ଏକ ଟାଟା ଏସି (ଓଆର୍‌ ୧୪ଟି ୩୬୬୪) ରାଉରକେଲା ମାଲଗୋଦାମରୁ ପରିବା ନେଇ ଖଇରଟୋଲାକୁ ଯାଉଥିଲା। ଦ୍ରୁତ ଗତିରେ ଥିବା ଗାଡ଼ିଟି ଗାଁ ଭିତରେ ଭାରସାମ୍ୟ ହରାଇ ଏକ ପାନ ଦୋକାନକୁ ମାଡ଼ି ଯାଇ ଦୋକାନ ଆଗରେ ଠିଆ ହୋଇଥିବା ୪ ଜଣଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ଅନିଲ ବଡ଼ାଇକଙ୍କ ଶୋଚନୀୟ ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ୩ ଜଣଙ୍କୁ ଆର୍‌ଜିଏଚ୍‌ ଅଣାଯାଉଥିବା ବେଳେ ବାଟରେ ଅଗସ୍ତି ଲାକଡାଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ଖବର ପାଇ ବିଶ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟି ଉଦ୍ଧାର କରିବା ସହିତ ଗାଡ଼ିଟିକୁ ଜବତ କରିଛି। ଗୁରୁତର ୨ ଜଣଙ୍କ ପରିଚୟ ମିଳି ନାହିଁ।