ବୈପାରିଗୁଡା/ ଖଲ୍ଲିକୋଟ: କୋରାପୁଟ ଓ ଗଞାମ ଜିଲ୍ଲାରେ ପୃଥକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ଜିଲ୍ଲାର ଦୁଇ ମହିଳା କାଉଡ଼ିଆ ଗୁରୁତର ଆହତ ହୋଇଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହେଉଥିବାରୁ ସୁରକ୍ଷା ନିମନ୍ତେ ଆଜି ଗୋଟିଏ ଦମକଳ ଗାଡ଼ି ସେଠାକୁ ଯାଉଥିଲା। ତେବେ ସୁକନାଳ ଘାଟିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଓ ଗାଡ଼ି ଘାଟି ତଳକୁ ଖସି ଯାଇଥିଲା। ପୀଠ ଅଭିମୁଖେ ଯାଉଥିବା ଶହ ଶହ କାଉଡ଼ିଆଙ୍କ ଆଡ଼କୁ ଗାଡ଼ି ବୁଲିଯାଇ ପାଡ଼ୁଆ ଅଞ୍ଚଳର ଯୁବତୀ ରଶ୍ମିତା ଖିଲଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ନିକଟସ୍ଥ ଚା’ ଦୋକାନରେ ବସିଥିବା କନ୍ଧଗୁଡ଼ା ଗାଁର ଦୁଇ ଭାଇ ସହଦେବ ଦୁରୁଆ ଓ ପର୍ଶୁରାମ ଦୁରୁଆଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଏଥିରେ ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ବୈପାରିଗୁଡ଼ା ପୁଲିସ ଓ ଆଇଆର୍‌ବି ଯବାନ ଗୁରୁତର ଆହତଙ୍କୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିଲା। ରଶ୍ମିତା ଖିଲଙ୍କ ଗୋଡ଼ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସହଦେବ ଦୁରୁଆଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଦୁଇ ଗୁରୁତରଙ୍କୁ କୋରାପୁଟ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Advertisment
ସେହିଭଳି ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରପ୍ରତାପ ଗ୍ରାମର କାଉଡ଼ିଆ ସୁଜ୍ଞାନୀ ନାୟକ (୩୫) ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ଜାତୀୟ ରାଜପଥରେ ଲଙ୍ଗଳେଶ୍ବର ଫ୍ଲାଏଓଭର୍‌ ଦେଇ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସୁଜ୍ଞାନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାର କିଛି ସମୟ ପରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ କାର୍‌ ଉକ୍ତ ଫ୍ଲାଏଓଭର୍‌ରେ ସମ୍ମୁଖରେ ଯାଉଥିବା ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଡିଭାଇଡର୍‌ରେ ପିଟି ହୋଇଥିଲା। ପୁଲିସ ଘଟଣାସ୍ଥଳରୁ କାର୍ ଓ ବାଇକ୍‌ ଚାଳକଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର କାର୍‌ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କ ପରିଚୟ ମିଳିପାରିନି।