ସାପ କାମୁଡ଼ାରେ ଦୁଇ ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ସାପ କାମୁଡ଼ାରେ ଆଜି ଦୁଇଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଖୁଣ୍ଟାପଡ଼ା ପଞ୍ଚାୟତ ଦୁଲ୍ଲଭପୁର ଗ୍ରାମର ଦିବାକର ପରିଡ଼ାଙ୍କ ଝିଅ ପୁଷ୍ପିତା ପରିଡ଼ା (୨୨) ଓ ଦୋବଲାପାଳ ଗ୍ରାମର ସୁବଳ ମହାକୁଡ଼ଙ୍କ ସ୍ତ୍ରୀ ଚୁମ୍‌କି ମହାକୁଡ଼ (୨୨)। ପ୍ରାପ୍ତ ସୂଚନା ଅନୁଯାୟୀ ପୁଷ୍ପିତା ମାମୁଘର ତେଲକୋଇ ଥାନା ଗୋଧିହୁଡ଼ି ଗ୍ରାମକୁ ଯାଇଥିଲେ। ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ସମୟରେ ଏକ ଚିତିସାପ ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ରାତି ପ୍ରାୟ ୩ଟାବେଳେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ କେନ୍ଦୁଝର ଓ ପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦୋବଲାପାଳ ଗ୍ରାମର ଚୁମ୍‌କି ମହାକୁଡ଼ ଖାଇପିଇ ଶୋଇଥିଲେ। ରାତିରେ ବେହୋସ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଚୁମ୍‌କିଙ୍କ ମୁହଁରୁ ସାପ ଗରଳ ବାହାରୁ ଥିବାରୁ ତାଙ୍କୁ ବିଷାକ୍ତ ସାପ କାମୁଡ଼ିଥିବା ସନ୍ଦେହ କରାଯାଉଛି। ଏନେଇ ତେଲକୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।

ଦୁଇ ସପ୍ତାହ ମଧ୍ୟରେ ତେଲକୋଇ ଅଞ୍ଚଳରେ ସାପ କାମୁଡ଼ାରେ ୪ଜଣଙ୍କ ଜୀବନ ଗଲାଣି। ୪ ତାରିଖ ରାତିରେ କରମଙ୍ଗି ପଞ୍ଚାୟତ ଭଗାମୁଣ୍ଡା ସାହିର ଶ୍ରୀକାନ୍ତ ନାୟକ (୨୦)ଙ୍କୁ ଏକ ଚିତିସାପ କାମୁଡ଼ି ଥିଲା। ଡାକ୍ତରଖାନା ନେବାରେ ବିଳମ୍ବ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ମେ ୨୨ ତାରିଖରେ ଶିରିଗିଡ଼ା‌ ପଞ୍ଚାୟତ କାଳିମା ମୁଣ୍ଡାସାହିର କମଳ କାରୁଆଙ୍କ ପୁଅ ଭଗବାନ କାରୁଆ (୭)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ତେଲକୋଇ ଭଳି ପାହାଡ଼ିଆ ଅଞ୍ଚଳରେ ମେ ଓ ଜୁନ୍‌ ମାସରେ ସରୀସୃପ ଜନବସତିକୁ ପଶି ଆସନ୍ତି। ବିଶେଷ କରି ବିଭିନ୍ନ ବିଷଧର ସାପ ଲୋକଙ୍କ ଶୋଇବା ଘରେ ପଶିଥାନ୍ତି। ରାତିରେ ଲୋକେ ଶୋଇଥିବା ସମୟରେ ଶରୀର ସାମାନ୍ୟ ହଲଚଲ ହେଲେ କାମୁଡ଼ି ଦେଇଥାଆନ୍ତି। ସାପ କାମୁଡ଼ିଥିବା ଜାଣିବା ସତ୍ତ୍ୱେ ଲୋକେ ଡାକ୍ତରଖାନା ନଯାଇ ଝଡ଼ାଫୁଙ୍କା ଓ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଶେଷରେ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥାନ୍ତି। ସଚେତନତା ଅଭାବରୁ ଡାକ୍ତରୀ ଚିକିତ୍ସା ବଦଳରେ ଲୋକେ ଝଡ଼ାଫୁଙ୍କା ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର