ବନ୍ୟା ଜଳରେ ଭାସି ଯାଇ ୨ ମୃତ, ଜଣେ ନିଖୋଜ

ମ.ରାମପୁର : ବନ୍ୟା ଯୋଗୁ ତାଲିଫୁସିଂ ରପ୍‌ଟାରେ ଭାସିଯାଇଥିବା ମଦନପୁର ରାମପୁର ବ୍ଲକ ଦେଢ଼ଶୁଳି ପଂଚାୟତ ଟ୍ରାସୁପଡ଼ା ଗ୍ରାମ ନିବାସୀ ପୂର୍ବ ନାଏବ ସରପଂଚ ତଥା ସମିତି ସଭ୍ୟ ଉଛେନ୍ଦ୍ର ମାଝୀ (୬୦)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଛେନ୍ଦ୍ର ଅନ୍ୟ ଦୁଇଜଣଙ୍କ ସହିତ ବାଇକରେ ବାଲିଗୁଡ଼ା ଯାଇ ଫେରୁଥିବା ବେଳେ ତାଲିଫୁସିଂ ରପ୍‌ଟା (ନାଳା)ରେ ଭାସି ଯାଇଥିଲେ। ଅନ୍ୟ ଦୁଇଜଣ ପହଁରି ପହଁରି ନିଜ ଜୀବନ ରକ୍ଷା କରିଥିବା ବେଳେ ଉଛେନ୍ଦ୍ର ପାଣିରେ ବୁଡ଼ି ଯାଇଥିଲେ। ସେଠାରୁ ପ୍ରାୟ ଅଧ କିମି ଦୂର କନ୍ଧମାଳ ଜିଲ୍ଲା ଦଗାବାଜୁ ନିକଟରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ସେହିପରି ଉର୍ଲଦାନୀ ପଂଚାୟତ କୁରୁପଦର ଗାଁର ଜୟ ପାତ୍ର(୩୩) ନିକଟସ୍ଥ ଜଙ୍ଗଲକୁ ବୁଧବାର ଗାଈ ଚରାଇବାକୁ ଯାଇଥିଲେ। ଗାଈ ନେଇ ଫେରୁଥିବା ବେଳେ ଉତେଇ ନଦୀର ଜଳସ୍ରୋତରେ ଭାସି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ କୌଣସି ଖବର ପାଇ ନଥିଲେ। ଗୁରୁବାର ସନ୍ଧ୍ୟାରେ ତାଙ୍କ ଶବ କୁରୁପଦର ଧୋବାମୁଣ୍ତା ଘାଟ ଠାରୁ ୩୦୦ ମିଟର ଦୂରରେ ମିଳିଥିଲା। ସୂଚନାଯୋଗ୍ୟ ଯେ, ବୁଧବାର ‌‌ଥୁଆମୂଲ ରାମପୁର ଅଞ୍ଚଳରେ ପେଟଫୁଲା ନଦୀରେ କାଠକୁରା ଗ୍ରାମର ସେନ ମାଝୀ (୨୨)ଭାସି ଯାଇଥିଲେ। ଏଯାଏ ତାଙ୍କର ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର