ସୋନପୁର/ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ ମଙ୍ଗଳବାର ପୁଲିସର ସର୍ଭିସ୍ ପିସ୍ତଲ ଗୁଳିରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସେହି ଗାଁର ମନୋଜ ଝାଙ୍କର (୩୦) ଏବଂ ମନୋଜଙ୍କ କାକାପୁଅ ଭାଇ ଶେଷଦେବ ଝାଙ୍କର (୨୮)ଙ୍କର ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ଚାଞ୍ଚଲ୍ୟକର ଘଟଣା ଉପରୁ ପୁଲିସ ପରଦା ହଟାଇବାରେ ସକ୍ଷମ ହୋଇ ପାରିନାହିଁ। କେବଳ ଅଟକ ରଖିଥିବା ଦୁଇଜଣଙ୍କୁ ପଚରାଉଚରା କରୁଛି।
ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମନୋଜ ମଙ୍ଗଳବାର ନିଜ ଗାଁ ଚୁଲିମାଲକୁ ଯାଇଥିଲେ। ସନ୍ଧ୍ୟାରେ ନିଜ କାକାପୁଅ ଭାଇ ଶେଷଦେବ ଓ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ସହ ଗାଁ ନିକଟ ପାତ୍ରବେର୍ଣ୍ଣା ପଡ଼ିଆକୁ ଆସିଥିଲେ। କିଛି ସମୟ ପରେ ମନୋଜ ଓ ଶେଷଦେବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଆରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମନୋଜ ଧରିଥିବା ୯ ଏମ୍ଏମ୍ ସର୍ଭିସ୍ ପିସ୍ତଲ ଗୁଳିରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଲିସ ଗଣମାଧ୍ୟମକୁ ସ୍ପଷ୍ଟ କିଛି ସୂଚନା ଦେଉନାହିଁ। ସେପଟେ ମୃତକଦ୍ବୟଙ୍କ ସହ ଯାଇଥିବା ଜଣେ ଯୁବକ ପଡ଼ିଆ ନିକଟରେ ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ସେହିପରି ଅନ୍ୟ ଜଣେ ଯୁବକଙ୍କୁ ତାଙ୍କ ଘରୁ ମଙ୍ଗଳବାର ରାତିରେ ଥାନାକୁ ଆଣିଥିଲା। ଦୁହିଁଙ୍କୁ ଆଜି ମଧ୍ୟ ପଚରାଉଚରା କରାଯାଇଛି। ବୁଧବାର ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ପୁଲିସ। ଘଟଣାସ୍ଥଳରେ ୯ ଏମ୍ଏମ୍ ପିସ୍ତଲ, ୨ଟି ଅଫୁଟା ଗୁଳି, ୭ଟି ଖୋକା, ଏକ ଇଲେକ୍ଟ୍ରିକ ସ୍କୁଟି, ୩ ହଳ ଚପଲ ପଡ଼ିଥିଲା।
ଘଟଣାସ୍ଥଳରୁ ୭ଟି ଖୋକା ମିଳିଥିବାରୁ ଅତିକମ୍ରେ ୭ ଥର ଫାଇରିଂ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଧାୟକଙ୍କ ପିଏସ୍ଓ ନିଜ ଗାଁକୁ ଯାଇଥିବା ବେଳେ କାହିଁକି ନିଜର ସର୍ଭିସ୍ ପିସ୍ତଲ ସାଙ୍ଗରେ ଧରି ଯାଇଥିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏପରିକି ପିଏସ୍ଓ ମନୋଜ ନିଜ କାକାପୁଅ ଭାଇ ଶେଷଦେବଙ୍କୁ ଗୁଳି କରି ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେବେ ପୁଲିସ କୌଣସି ସୂଚନା ଦେଇନଥିବାରୁ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ସେପଟେ କିଛି ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ଉଭୟ ମନୋଜ ଓ ଶେଷଦେବଙ୍କ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ତେଣୁ ମନୋଜ ଓ ଶେଷଦେବଙ୍କର ଏଭଳି ମୃତ୍ୟୁକୁ ଗ୍ରାମବାସୀ ବିଶ୍ବାସ କରିପାରୁନାହାନ୍ତି। ଘଟଣା ଦିନ ମନୋଜ ଛୁଟିରେ ଥିଲେ ନା ନାହିଁ, ସେ ସମ୍ପର୍କରେ ମଧ୍ୟ କୌଣସି ପୁଲିସ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏକ ମେଡିକାଲ ଟିମ୍ ବୁର୍ଲା ପଠାଯାଇଥିବା ପୁଲିସ ସୂଚନା ଦେଇଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ସବିଶେଷ ସୂଚନା ଦେବେ ବୋଲି ଏସ୍ପି ୟଶପ୍ରତାପ ଶ୍ରୀମାଲ କହିଛନ୍ତି।