ଟ୍ରାକ୍ଟର ଓଲଟି ୨ ମୃତ, ଦୁଇ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଏକ ଟ୍ରାକ୍ଟର ଓଲଟିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୪ ଜଣ ମହିଳା ପାଖ ଗାଁ ପୁରୁଣିଆକୁ ବିଲ କାମ କରିବାକୁ ପାଦରେ ଚାଲିଚାଲି ଯାଉଥିଲେ। ସେହି ସମୟରେ ସେହି ଗ୍ରାମର ଏକ ଟ୍ରାକ୍ଟରରେ (ଓଡି୧୧ଡବ୍ଲୁ-୧୧୫୯) ବସି କିଛି ଲୋକ ପୁରୁଣିଆକୁ ହଳ କରିବାକୁ ଯାଉଥିଲେ। ତେବେ ଆଉ ଅଳ୍ପ ବାଟ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୁରୁଣିଆ କେନାଲ ନିକଟରେ ଓଲଟି ପଡ଼ିଥିଲା ।

ଟ୍ରାକ୍ଟର ତଳେ ଚାପିହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୃତକମାନେ ହେଲେ ଦଲକି ଗ୍ରାମର ଘନଶ୍ୟାମ ପାତ୍ରଙ୍କ ସ୍ତ୍ରୀ ମନ୍ଦଦରୀ ପାତ୍ର(୫୦) ଓ ବୀରେନ୍ଦ୍ର ହାଁସଦାଙ୍କ ଝିଅ ମିତାରାଣୀ ହାଁସଦା(୨୨) ଏବଂ ଗୁରୁତରମାନେ ହେଲେ ସେହି ଗ୍ରାମର ସୋମବାରୀ ମାଝୀ (୪୫) ଓ ବୁଦାଇ ମାଝୀ(୫୦)। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି। ବାଦାମପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର