ଅସୁସ୍ଥ ପିତାଙ୍କ ନିକଟକୁ ଯାଉଥିବା ପୁଅ ବୋହୂ କାର ଦୁର୍ଘଟଣାରେ ମୃତ୍ୟୁ, ଅନ୍ୟ ୨ ଗୁରୁତର

ହରଭଙ୍ଗା: ରାଉରକେଲାରେ ଗୁରୁତର ଅସୁସ୍ଥ ଥିବା ବାପାଙ୍କ ପାଖକୁ ଏକ କାରଯୋଗେ ଗଞ୍ଜାମ ଜିଲ୍ଲା ଅଞ୍ଚଳରୁ ଯାଉଥିବା ପୁଅ ଓ ବୋହୂ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ନିକଟସ୍ଥ ଝାଡରାଜିଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାରରେ ବସିଥିବା ଅନ୍ୟ ୨ଜଣ ଗୁରୁତର ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମର ସୁରେନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ନମିତା ନାୟକ ଏବଂ ଗୁରୁତର ଆହତ ଥିବା ସେମାନଙ୍କ ସମ୍ପର୍କୀୟ ଭଗବାନ କମ୍ପ(୫୩) ଓ ତାଙ୍କ ପତ୍ନୀ ରୀନା କମ୍ପ(୪୨)ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ମତେ ରାଉରକେଲାରେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅସୁସ୍ଥ ଥିବା ଖବର ପାଇ ଗଞ୍ଜାମ ଜିଲ୍ଲାଠାରେ ରହୁଥିବା ତାଙ୍କର ୨ପୁଅ ଓ ବଡବୋହୂଙ୍କ ସମେତ ୫ଜଣ ଗୋଟିଏ କାରରେ ସେଠାକୁ ଯାଉଥିଲେ। ବୁଧବାର ବଡି ସକାଳୁ କାରଟି ଦ୍ରୁତ ଗତିରେ ଚାରିଛକ ଝାଡ଼ରାଜିଙ୍ଗ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ବଡ ପୁଅ ଓ ବୋହୂଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଚାରିଛକ ସ୍ଥିତ ୧୦୮ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଭର୍ତି କରାଯାଇଥିବା ଜଣାପଡିଛି। ଅନ୍ୟ ଜଣଙ୍କର ପରିଚୟ ଏଯାଏଁ ମିଳିପାରିନାହିଁ। ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ସମ୍ପର୍କରେ ଛାନଭିନ ଚଳାଇଛି ।

ସମ୍ବନ୍ଧିତ ଖବର