ବ୍ରହ୍ମଗିରି: ଚିଲିକାରେ ଆଜି ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଏକ ଡ଼ଙ୍ଗା ବୁଡ଼ିଯାଇଥିବାବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ସେହିପରି ୧୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ପହଁରି ପହଁରି କୂଳକୁ ଆସିଥିଲେ | ମିଳିଥିବା ସୂଚନା ମୁତାବକ ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁ ନିକଟରେ କାଳୀଯାଇ କୁଦ ନିକଟରେ ଆଜି ଏକ ଡ଼ଙ୍ଗା ବୁଡିଯାଇଥିଲା | ଆଜି ଏକ ଯାତ୍ରୀବାହି ଡ଼ଙ୍ଗା ୧୩ ଜଣ ପର୍ଯ୍ୟଟକଙ୍କୁ ନେଇ ଗମ୍ଭାରୀ ନିକଟରେ ଥିବା କାଳୀଯାଇ କୁଦକୁ ଭୋଜି କରିବାକୁ ଯାଇଥିଲା |
ଭୋଜି କରି ଫେରିବାବେଳେ ମଝି ଚିଲିକାରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା | ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଧୀବରମାନେ ଉଦ୍ଧାର କରିଥିବାବେଳେ ୩ ଜଣ ନିଖୋଜ ଥିଲେ | ତେବେ ନିଖୋଜଙ୍କ ମଧ୍ୟରୁ ବ୍ରହ୍ମଗିରି ଥାନା ଟୁଆ ଗାଁର ଉଗ୍ରସେନ ଦାସ ପହଁରି ପହଁରି କୂଳକୁ ଚାଲିଆସିଥିବାବେଳେ ଅନ୍ୟ ଦୁଇ ଜଣ ପୁରୀର ବୋଲି ସୂଚନା ମିଳିଛି |
ବ୍ରହ୍ମଗିରିରୁ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇଥିବାବେଳେ ଗମ୍ଭାରୀ ଗାଁର ୧୦ଟି ଡ଼ଙ୍ଗାରେ ଲୋକେ ନିଖୋଜଙ୍କୁ ଖୋଜୁଛନ୍ତି | ତେବେ ତାଜା ସୂଚନା ମୁତାବକ ନିଖୋଜ ଥିବା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି |