ଅନୁଗୁଳ: ଜଙ୍ଗଲରୁ କାଠ ନେଇ ଆସୁଥିବାବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଥିବା ଏକ ମଠ ନିକଟରେ ଏଭଳି ଘଟଣା ଘଟିଛି | ତେବେ ଏହି ଘଟଣାରେ ଆଉ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମିଳିଥିବା ସୂଚନା ମୁତାବକ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢିପ ସାହିର ୪ଜଣ ଶୁଖିଲା କାଠ ସଂଗ୍ରହ କରିବା ପାଇଁ ନାଲକୋ ଆସପଣ୍ଡର ମଧ୍ୟ ଭାଗରେ ଥିବା ଏକ ମଠ ନିକଟରେ ଥିଲେ ।
ହଠାତ୍ ବଜ୍ରାଘାତ ହେବାରୁ ଦୁଇଜଣ ପେନି ବେହେରା (୩୭), ସୁଷମା ବେହେରା(୪୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଦୁଇଜଣ ଆହତ ହୋଇଥିଲେ | ମଠ ନିକଟରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ପାଇ ଆସପଣ୍ଡ ସୁରକ୍ଷା କର୍ମୀ, ବଳରାମ ପ୍ରସାଦ ସରପଞ୍ଚ ଜୟନ୍ତୀ ସାହୁ, ଯୁବ ନେତା ଅନିଲ ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ନାଲକୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ |