ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍: ୨ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଗୁରୁତର ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ବାଲିଆରେ ଦୋଳ ମେଲଣ ସାରି ଦୁହୁରିଆ ମେଲଣକୁ ଦୋଳ ବିମାନ ନେଇ ଯାଉଥିବା ବେଳେ ଲୋକଙ୍କୁ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍(ଓଡି୦୫-ଏଆର୍ ୯୩୦୯) ଧକ୍କା ଦେଇଥିଲା । ରାତି ପ୍ରାୟ ଗୋଟା ଏବେଳେ ଏହି ଅଘଟଣ ଘଟିଥିଲା। ପିକ୍ଅପ୍ ଭ୍ୟାନ୍ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ବେଳେ ଲୋକଙ୍କ ଉପରକୁ ଚଢ଼ିଯାଇଥିଲା।


ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦ୍ୱୟ ହେଉଛନ୍ତି ବଣହରା ବାଲିଆ ଗାଁର ଦିବ୍ୟଜ୍ୟୋତି ଦାସ ଓ ବଡ଼ଗାଁର ସୋମନାଥ ସାହୁ ଓରଫ ଧୁନା। ୩ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିବ୍ୟଜ୍ୟୋତି ଦାସ ହେଉଛନ୍ତି ବିମାନ ମାଲିକଙ୍କ ପୁଅ ବୋଲି ଜଣାଯାଇଛି। ତେବେ ଘଟଣା ଘଟାଇବା ପରେ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର