ଓଡ଼ିଶାର କୋରାପୁଟ, ମାଲକାନଗିରି ଜିଲ୍ଲା ମାଓ ପ୍ରବଣ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ମୋଟ ୩୦ଟି ଜିଲ୍ଲା ସର୍ବାଧିକ ମାଓ ପ୍ରବଣ । ଏହା ମଧ୍ୟରେ ଓଡ଼ିଶାର ଦୁଇଟି ଜିଲ୍ଲା – କୋରାପୁଟ ଓ ମାଲକାନଗିରି ରହିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକସଭାରେ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ଏବେ ୭ଟି ରାଜ୍ୟର ମୋଟ ୩୦ଟି ଜିଲ୍ଲା ମାଓପ୍ରବଣ ରହିଛି । ଏହା ମଧ୍ୟରୁ ଝାଡ଼ଖଣ୍ଡର ସର୍ବାଧିକ ୧୩ଟି ଓ ଛତିଶଗଡ଼ର ୮ଟି ଜିଲ୍ଲା ରହିଛି ।

ଦେଶର ମାଓ ପ୍ରବଣ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଦେଉଛନ୍ତି । ୨୦୧୭ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ୨୫୪୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ଓଡ଼ିଶାକୁ ପ୍ରାୟ ୧୫୭ କୋଟି ଟଙ୍କାର ଅନୁଦାନ ମିଳିଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା ବ୍ୟତୀତ ଏସବୁ ଅନୁଦାନ ଅତିରିକ୍ତ ଭାବେ ପ୍ରଦାନ କରାଯାଉଛି । ଏହା ମାଧ୍ୟମରେ ସଡ଼କ ନିର୍ମାଣ, ଟେଲିକମ ଟାଓ୍ବାର ସ୍ଥାପନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି କରାଯାଉଛି ।

ସମ୍ବନ୍ଧିତ ଖବର