ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ଘଟଣାରେ ଶୁକ୍ରବାର ରାତିରେ ଦୁଇ ଜଣ ଜମି ମାଲିକ ତଥା କମଳା ଚାଷୀଙ୍କୁ କୋର୍ଟଚାଲାଣ କରିଛି ବନ ବିଭାଗ। ଉକ୍ତ ଦୁଇ ଚାଷୀ ହୁକ ପକେଇ ଚୋରା ବିଦ୍ୟୁତ ବ୍ୟବହାର କରୁଥିଲେ। ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଦେଉ ନଥିଲେ ବୋଲି ଦର୍ଶାଯାଇ ଜେଲ୍ ପଠାଇ ଦିଆଯାଇଛି। ଚାଷୀ ଦୁଇ ଜଣ ହେଲେ ସେହି ଗ୍ରାମର ଗୋଲେଖ ଚନ୍ଦ୍ର ବିଶ୍ବାଳ (୫୨) ଓ ରୁଦ୍ର ନାରାୟଣ ବିଶ୍ବାଳ (୭୫)। ୨୪ ଘଣ୍ଟା ଜେରା ଓ ବିଦ୍ୟୁତ ବିଭାଗର ରିପୋର୍ଟ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପରିବାର ଲୋକଙ୍କ କହିବାନୁସାରେ ସେମାନେ କମଳା ଚାଷୀ। କମଳା ପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବୋରଵ୍ବେଲ ଖୋଳି ସେଥିରେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ଯାହାର ବିଲ୍‌ ଏ ପର୍ଯ୍ୟନ୍ତ ଦେଇ ଆସୁଛନ୍ତି। ଗୁରୁବାର ରାତିରେ ୨୨ଟି ହାତୀ ଧାନ କିଆରିକୁ ଧାନ ଖାଇବାକୁ ଆସିଥିଲେ। ଫେରିବା ବେଳେ କମଳା ବଗିଚାରେ ପଶିଥିଲେ। ମାଈ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ବନ ବିଭାଗ ହାତୀଙ୍କ ଚଲାପଥ ବା ଚାଲିଚଳନ ପ୍ରତି ସଠିକ୍ ନଜର ରଖୁଛନ୍ତି ନା ନାହିଁ ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ବନ ବିଭାଗ ଓ ପାରାଷ୍ଟାଫ୍‌ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାତୀ ଘଉଡ଼ାଇବା ଦାୟିତ୍ବ ବନ ବିଭାଗର ନା ଲୋକଙ୍କର। ଏହି ଘଟଣାରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ? ଏହା ଏବେ ସନ୍ଦେହ ସୃଷ୍ଟି କରିଛି। ଯଥା ଶୀଘ୍ର ଏହାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।