ଯୁକ୍ତ ୨ରେ କପି କରି ୧୫୦ ଏମ୍‌ପି

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ସୁରୁଖୁରରେ ଚାଲୁ ରହିଛି। କଡ଼ା ସୁରକ୍ଷା ଓ ସିସିଟିଭି ନଜରରେ ପରୀକ୍ଷା ଚାଲିଥିବା ବେଳେ ଆଜି ଦେବଗଡ଼ କଲେଜରେ ପଦାର୍ଥ ବିଜ୍ଞାନ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିଥିବାରୁ ପରୀକ୍ଷାର୍ଥୀଙ୍କୁ କପି କରିବାକୁ ସୁ‌ଯୋଗ ମିଳିନଥିଲା। ତେଣୁ ସେମାନେ ସିସିଟିଭି ଆଢ଼ୁଆଳରେ ବସି ପରୀକ୍ଷା ଦେବା ପାଇଁ ଦାବି କରିଥିଲେ। ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହାକୁ ବିରୋଧ କରିବାରୁ ଛାତ୍ରଛାତ୍ରୀ ଉତ୍ତର ଖାତା ଓ ପ୍ରଶ୍ନପତ୍ର ଧରି ତଳ ମହଲାରେ ତଳେ ବସି ପରୀକ୍ଷା ଦେଇଥିଲେ। ସେମାନଙ୍କୁ ବାରଣ କରାଯାଇଥିଲେ ହେଁ ଶୁଣି ନଥିଲେ। କଲେଜ ଅଧ୍ୟକ୍ଷାଙ୍କ ରିପୋର୍ଟକୁ ଆଧାର କରି ପରୀକ୍ଷା ପରିଚାଳନା ଆଇନ ଅନୁଯାୟୀ ପଦାର୍ଥ ବିଜ୍ଞାନ ପରୀକ୍ଷା ଦେଉଥିବା‌ ୬୮ଜଣ ପରୀକ୍ଷାର୍ଥୀଙ୍କୁ ମାଲପ୍ରାକ୍ଟିସ୍‌(ଏମ୍‌ପି) କରାଯାଇଥିବା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ଚଳିତ ବର୍ଷ ପରୀକ୍ଷାରେ ଆଜି ସବୁଠାରୁ ଅଧିକ ପରୀକ୍ଷାର୍ଥୀ ଏମ୍‌ପି ହୋଇଛନ୍ତି। ଆଜି ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ବିଷୟର ପରୀକ୍ଷା ରହିଥିଲା।

ସମ୍ବନ୍ଧିତ ଖବର