ଯୁକ୍ତ୨ ପରୀକ୍ଷାରେ ବଡ଼ ସଂସ୍କାର, ସିସିଟିଭି ନ ଲାଗିଲେ ପରୀକ୍ଷା କେନ୍ଦ୍ର ବାତିଲ୍‌

୨୦ ତାରିଖ ସୁଦ୍ଧା ସିସିଟିଭି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର: ଯୁକ୍ତ ୨ ଥିଓରି ପରୀକ୍ଷାକୁ ଆଉ ଏକ ମାସ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିନି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୫ଥର ତାଗିଦ୍‌ କରାଯିବା ପରେ ବି ପ୍ରାୟ ୩୫୦କଲେଜ କ୍ୟାମେରା ଲଗାଇ ନାହାନ୍ତି। କଲେଜଗୁଡ଼ିକରେ ଭିତ୍ତିଭୂମି ଅଭାବ ସାଙ୍ଗକୁ ଯେଉଁଠାରେ ଯୁକ୍ତ୨ ଓ ଯୁକ୍ତ ୩ କଲେଜ ମିଳିତ ଭାବେ ରହିଛି, ସେଠାରେ ସିସିଟିଭି ଲଗାଇବା ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ସିସିଟିଭିର ସୁରକ୍ଷା ନେଇ ମଧ୍ୟ କେତେକ କଲେଜ ଅଧ୍ୟକ୍ଷମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସମୟରେ ପରିଷଦ କଡ଼ା ପଦକ୍ଷେପ ନେବାକୁ ଯାଉଛି। ଯେକୌଣସି ପ୍ରକାରେ ସିସିଟିଭି ଲଗାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କଡ଼ା ନିର୍ଦେଶ ଦେଇଛନ୍ତି। ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଫେବ୍ରୁଆରି ୨୦ତାରିଖ ସୁଦ୍ଧା କ୍ୟାମ୍ପସରେ ସିସିଟିଭି ଲଗାଇ ରିପୋର୍ଟ ଦାଖଲ କର। ଯଦି ନିର୍ଦ୍ଧାରିତ ସମୟ ସୁଦ୍ଧା ସିସିଟିଭି ନ ଲଗାଇବ, କାର୍ଯ୍ୟାନୁଷ୍ଠାନ ହେବ। ପରୀକ୍ଷା କେନ୍ଦ୍ର ବାତିଲ୍‌ ହେବ। ସମ୍ପୃକ୍ତ କେନ୍ଦ୍ରର ପରୀକ୍ଷାର୍ଥୀଙ୍କୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରାଯିବ ବୋଲି ଆଜି କଡ଼ା ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଓ ‌ଜୋନ୍‌ସ୍ତରୀୟ ସ୍କ୍ବାଡ୍‌ରେ ଏଥର ଅଧ୍ୟାପକମାନେ ରହିବେ। ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗ ଅଧିକାରୀମାନେ କେନ୍ଦ୍ରୀୟ ସ୍କ୍ବାଡ୍‌ରେ ସାମିଲ ହେଉଥିଲେ। ଜୋନ୍‌ସ୍ତରୀୟ ସ୍କ୍ବାଡ୍‌ରେ ପରିଷଦର ୩ଟି ଜୋନ୍‌ର ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧ୍ୟାପକମାନେ ରହୁଥିଲେ। ଏଥର ନିୟମରେ ପରିବର୍ତ୍ତନ କରାଯାଇଛି। ଉଭୟ କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ସ୍କ୍ବାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି।

କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ସ୍କ୍ବାଡ୍‌ରେ ରହିବେ ଅଧ୍ୟାପକ
୧୧ ତାରିଖ ଭିତରେ ଅଧ୍ୟାପକଙ୍କ ତାଲିକା ମାଗିଲା ପରିଷଦ

ପରିଷଦ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣ-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ଦୁଇଜଣ ଅଧ୍ୟାପକଙ୍କ ତାଲିକା ଫେବ୍ରୁ୍ଆରି ୧୧ ସୁଦ୍ଧା ପଠାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଚିଠି ଲେଖିଛନ୍ତି। ସେ ଆହୁରି କହିଛନ୍ତି ଯେ ପରୀକ୍ଷାର ସୁପରିଚାଳନା, କପି ରୋକିବା ପାଇଁ ଏଥର ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହେବ। କେନ୍ଦ୍ରୀୟ, ଜୋନ୍‌ସ୍ତରୀୟ, ଫ୍ଲାଇଂ ସ୍କ୍ବାଡ୍‌, ଅବଜରଭରମାନେ ପରୀକ୍ଷା ପରିଚାଳନା‌ରେ ସାମିଲ ହେବେ। ସମସ୍ତ ସ୍କ୍ବାଡ୍‌ରେ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସାମିଲ କରାଯିବ। ସେମାନେ ପରୀକ୍ଷା‌ କେନ୍ଦ୍ରଗୁଡ଼ିକୁ ଗସ୍ତ କରି ପରୀକ୍ଷାର ସୁପରିଚାଳନା ଦିଗରେ ପଦକ୍ଷେପ ନେବେ। ଯେଉଁମାନେ ସାମିଲ ହେବେ, ସେମାନଙ୍କର ଶିକ୍ଷକତା କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ଏଥିସହ ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ଅଧ୍ୟାପକମାନେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଲଗାତାର ଭାବେ ସ୍କ୍ବାଡ୍‌ରେ ରହିଥିବେ। ଏବେ ଚିନ୍ତାର ବିଷୟ ହେଉଛି ଯେ ବିଭିନ୍ନ ଦାବି ନେଇ ଆଗକୁ ବିଭିନ୍ନ ବର୍ଗର ଅଧ୍ୟାପକମାନେ ଆନ୍ଦୋଳନ କରିବେ ‌ବୋଲି ଆଗୁଆ ସୂଚନା ଦେଇଛନ୍ତି। ତେଣୁ ପରୀକ୍ଷା ‌ପରିଚାଳନାରେ ସମସ୍ୟା ସୃଷ୍ଟି ‌ହେବାର ଆଶଙ୍କା ପ୍ରକାଶ ପାଇଛି। ସ୍କ୍ବାଡ୍‌ରେ ଅଧ୍ୟାପକ ରହିବା ଦ୍ବାରା ପରୀକ୍ଷା ପରିଚାଳନାର ସ୍ବଚ୍ଛତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ। ଆକ୍ରୋଶମୂଳକ ଭା‌ବେ ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ଅଧ୍ୟାପକମାନେ କାମ କରିପାରନ୍ତି ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର