ଭିତ୍ତିଭୂମି ନ ଥିଲେ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ହେବନି, ସିସିଟିଭି କ୍ୟାମେରା ବାଧ୍ୟତାମୂଳକ

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ପାଇଁ ଏଥର ନିୟମ କଡ଼ାକଡ଼ି ଲାଗୁ ହେବ। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଭିତ୍ତିଭୂମି ସୁଦୃଢ଼ ନ ଥିବ ସେଠାରେ ପରୀକ୍ଷା କେନ୍ଦ୍ର ହେବନି। ଜାନୁଆରି ୧୫ରୁ ୨୫ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ଏହାର ଦେଢ଼ ମାସ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ମାସରେ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩ରୁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯିବ। ଟିମ୍‌ର ସଦସ୍ୟମାନେ ପ୍ରତିଦିନ ୪ରୁ ୫ଟି କଲେଜକୁ ଗସ୍ତ କରିବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଲାବରେଟୋରି ରହିଛି କି ନାହିଁ, ସିସିଟିଭି କ୍ୟାମେରା ଲାଗିଛି କି ନାହିଁ, ଆଉ କ’ଣ ଆବଶ୍ୟକତା ରହିଛି କି ନାହିଁ ଯାଞ୍ଚ କରିବେ। ଯଦି କୌଣସି କଲେଜର ଭିତ୍ତିଭୂମି ଠିକ୍‌ ନଥିବ ସେଠାରେ ପରୀକ୍ଷା କେନ୍ଦ୍ର ହୋଇ ପାରିବ ନାହିଁ। ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ସେଠାକାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ।

୨୦୧୯ ପ୍ରାକ୍ଟିକାଲ ପରୀକ୍ଷା ସମୟରେ କେତେକ କଲେଜ ସିସିଟିଭି ଲଗାଇ ନ ଥିଲେ। ଥିଓରି ପରୀକ୍ଷାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ତେଣୁ ଏଥର ସିସିଟିଭିକୁ କଡ଼ାକଡ଼ି କରାଯାଇଛି। ବିନା ସିସିଟିଭିରେ ପ୍ରାକ୍ଟିକାଲ କିମ୍ବା ଥିଓରି ପରୀକ୍ଷା କେନ୍ଦ୍ର ହେବନି। ଯଦି ‌କୌଣସି କେନ୍ଦ୍ରରେ ଲାବରେଟୋରି ଖରାପ ‌ଥିବ ତାହାକୁ ବି ବାତିଲ୍‌ କରାଯାଇପାରେ। ସ୍ବତନ୍ତ୍ର ଟିମ୍‌ ଗସ୍ତ କରି ଯେଉଁ ରିପୋର୍ଟ ଦେବ ତାହା ଆଧାରରେ ପରୀକ୍ଷା କେନ୍ଦ୍ର କରାଯିବ। ବିଶେଷକରି ଘରୋଇ କଲେଜଗୁଡ଼ିକ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ୨ ପରୀକ୍ଷା ଲାଗି ଆଜିଠାରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ଅକ୍ଟୋବର ୧୪ରୁ ୧୮ ମଧ୍ୟରେ ୫୦ ଟଙ୍କା ଜରିମାନା ଓ ଅକ୍ଟୋବର ୧୯ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରିବେ।

ସମ୍ବନ୍ଧିତ ଖବର