ମାଟ୍ରିକ୍‌ ପରେ ଯୁକ୍ତ୨ରେ ବିଭ୍ରାଟ : ୧୭ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାର!

ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର
ପରୀକ୍ଷା ଦେବା ପରେ ଧାରଣାରେ ବସିଲେ ପରୀକ୍ଷାର୍ଥୀ
ଅଲିଖିତ କାରଣଦର୍ଶାଅ ରିପୋର୍ଟ ମାଗିଲା ପରିଷଦ

ଭୁବନେଶ୍ୱର/କୋଣାର୍କ : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣା ଥମି ନ ଥିବା ବେଳେ ଯୁକ୍ତ୨ ପରୀକ୍ଷାରେ ଦେଖା ଦେଇଛି ବିଭ୍ରାଟ। ପୁରୀ ଜିଲ୍ଲା କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀମାନେ ଆଜି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ରର ଉତ୍ତର ଲେଖିଛନ୍ତି। ୩ ଘଣ୍ଟା ଧରି ପରୀକ୍ଷା ଦେଇଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିଲେ। ଯେଉଁଥିପାଇଁ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ନ୍ୟାୟ ପାଇବା ଲାଗି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଘଟଣା ପଦାକୁ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ କାରଣ ଦର୍ଶାଅ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି।

ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ମାତୃଭାଷା(ଓଡ଼ିଆ) ପରୀକ୍ଷା ରହିଥିଲା। ସେହି ଅନୁଯାୟୀ ଏହି କେନ୍ଦ୍ରରେ ବାଣିଜ୍ୟରେ ୧୭ ଜଣ ରେଗୁଲାର, ୩ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ସମେତ ବିଜ୍ଞାନ ବିଭାଗର ବି ପରୀକ୍ଷାର୍ଥୀ ରହିଥିଲେ। ବାଣିଜ୍ୟ ବିଭାଗର ସମସ୍ତ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯାଇଥିବା ବେଳେ ବିଜ୍ଞାନ ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଏକ୍ସ-ରେଗୁଲାର ପଶ୍ନପତ୍ର ପାଇବା ପରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଏ ସମ୍ପର୍କରେ ପରୀକ୍ଷକଙ୍କୁ ଜଣାଇଥିଲେ। ମାତ୍ର ପରୀକ୍ଷକ କିମ୍ବା କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ଏପରକିି ଯେଉଁ ପ୍ରଶ୍ନପତ୍ର ଦିଆଯାଇଛି ତାକୁ ଦେଖି ଉତ୍ତର ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

କଲେଜ କର୍ତୃପକ୍ଷଙ୍କଠାରୁ କୌଣସି ସୁଫଳ ନ ମିଳିବାରୁ ପରୀକ୍ଷାର୍ଥୀ ବାଧ୍ୟ ହୋଇ ଏକ୍ସ-ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିଲେ। କେନ୍ଦ୍ର ବାହାରକୁ ଆସି ଅଭିଭାବକଙ୍କୁ ଅବଗତ କରାଇବା ପରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଖବର ପାଇ କୋଣାର୍କ ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅବଗତ ହୋଇଥିଲେ । ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ବୀରକିଶୋର ମହାନ୍ତି ଓ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ଶରତ ଚନ୍ଦ୍ର ବାରିକଙ୍କୁ ଘଟଣାସ୍ଥଳକୁ ଆସିବାକୁ ପରୀକ୍ଷାର୍ଥୀ ଅଡ଼ି ବସିଥିଲେ। କୌଣସି ଅଧିକାରୀଙ୍କ ଦେଖା ନ ମିଳିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନେକ ସମୟ ଧରି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ। ଯଦି ନ୍ୟାୟ ନ ମିଳେ ତେବେ ଶୁକ୍ରବାରଠାରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ଏଭଳି ଘଟଣା ପରେ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନ ଉଠିଛି। ଏହି କେନ୍ଦ୍ରରେ ବାଣିଜ୍ୟର ମାତ୍ର ୩ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଥିବା ବେଳେ କେନ୍ଦ୍ରକୁ ୨୦ରୁ ଅଧିକ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ପଠାଯିବା ପଛରେ କାରଣ କ’ଣ? ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଅଲଗା ରଙ୍ଗର ହୋଇଥିବା ବେଳେ ପରୀକ୍ଷକ ଜାଣିପାରିଲେ ନାହିଁ କେମିତି? ପରୀକ୍ଷାର୍ଥୀ ଅଭିଯୋଗ କରିବା ପରେ ବି କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ କାହିଁକି ପଦକ୍ଷେପ ନେଲେନି? ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ କେଉଁ ପରିସ୍ଥିତିରେ ଏଭଳି ହୋଇଛି କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମଗାଯାଇଛି। ଶୁକ୍ରବାର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। କେଉଁଠି ତ୍ରୁଟି ରହିଲା ତାହାର ଅନୁସନ୍ଧାନ ହେବ। ଯେଉଁମାନେ ଦୋଷୀ ରହିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ୧୭ ଜଣ ଛାତ୍ରଛାତ୍ରୀଙ୍କ ଲାଗି କ’ଣ କରାଯାଇ ପାରିବ ସେନେଇ ଆଲୋଚନା ଚାଲିଥିବା ସେ କହିଛନ୍ତି।

ମାତୃଭାଷାରେ କପି କରି ୧୭ ଏମ୍‌ପି

ଭୁବନେଶ୍ୱର : ମାତୃଭାଷା(ଓଡ଼ିଆ)ରେ କପି କରି ଆଜି ଧରା ପଡ଼ିଛନ୍ତି ୧୭ ଜଣ ପରୀକ୍ଷାର୍ଥୀ। ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ମାତୃଭାଷା ବିଷୟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର ଯାଞ୍ଚ ଲାଗି ବିଭିନ୍ନ ସ୍କ୍ଵାଡ୍‌ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଯାଞ୍ଚ କରାଯିବା ସମୟରେ ପରୀକ୍ଷାର୍ଥୀମାନେ ଧରାପଡ଼ିଥିଲେ। ସେମାନଙ୍କୁ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର