ରାତି ପାହିଲେ ସରିବ ଯୁକ୍ତ୨ ପରୀକ୍ଷା: କେମିତି ହେବ ଖାତା ଦେଖା?

ମିଳୁନାହାନ୍ତି ୧୪ ହଜାର ଅଧ୍ୟାପକ, ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ରାତି ପାହିଲେ ସରିବ ଯୁକ୍ତ୨ ପରୀକ୍ଷା। ଏପ୍ରିଲ ୪ରୁ ମୂଲ୍ୟାୟନ। ହାତରେ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ଖାତାଦେଖାକୁ ନେଇ ହରଡ଼ଘଣାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମୂଲ୍ୟାୟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଅଭାବକୁ ନେଇ ଚିନ୍ତା ଘାରିଛି। କିଭଳି ଓ କେଉଁମାନଙ୍କୁ ନେଇ ମୂଲ୍ୟାୟନ କରାଯିବ ତାହାକୁ ନେଇ ପରିଷଦର ଅଧିକାରୀମାନଙ୍କ ଘନ ଘନ ବୈଠକ ବସୁଛି। ବିକଳ୍ପ ବ୍ୟବସ୍ଥା ଭାବେ ଯେଉଁ ଅଧ୍ୟାପକଙ୍କୁ ସାମିଲ କରାଯିବ ସେମାନେ ଠିକ୍‌ ଭାବେ ମୂଲ୍ୟାୟନ କରିବେ କି ନାହିଁ ତାହା ଉପରେ ଏବେ ଆଲୋଚନା ହେଉଛି। ଇ-ମୂଲ୍ୟାୟନରେ ସାମିଲ ହେବାକୁ ଥିବା ଅଧ୍ୟାପକଙ୍କୁ ତାଲିମ ଦେବାକୁ ପରିଷଦ ଚିନ୍ତା କରୁଥିବା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି। ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ର୍ରି, ସ୍ୱୟଂଶାସିତ ଓ ମଡେଲ୍‌ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇ ମୂଲ୍ୟାୟନରେ ସାମିଲ ହେବାକୁ ଥିବା ଅଧ୍ୟାପକଙ୍କ ତାଲିକା ପ୍ରଦାନ କରିବାକୁ କୁହାଯାଇଥିଲା। ଆଜି ତାହାର ଶେଷ ତାରିଖ ରହିଥିଲେ ମଧ୍ୟ ଅଧିକାଂଶ କଲେଜ ଅଧ୍ୟକ୍ଷ ତାଲିକା ଦେଇ ନ ଥିବା ବିଶେଷସୂତ୍ରୁରୁ ଜଣାପଡ଼ିଛି। ୨୭୯ଟି ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷଙ୍କୁ ଚିଠି ପଠାଯାଇଥିଲେ ମଧ୍ୟ ସେମାନେ ଉତ୍ତର ଦେଇ ନ ଥିବାରୁ ଚିନ୍ତାରେ ପଡ଼ିଛି ପରିଷଦ। ଡିଗ୍ରି ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ୩ ପରୀକ୍ଷା ଚାଲୁଥିବାରୁ ଅଧ୍ୟାପକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି କଲେଜ ଅଧ୍ୟକ୍ଷ। ମୂଲ୍ୟାୟନ ଲାଗି ୧୪ ହଜାରରୁ ଅଧିକ ଅଧ୍ୟାପକଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୮ରୁ ୯ ହଜାର ଅଧ୍ୟାପକଙ୍କ ତାଲିକା ପରିଷଦରେ ପହଞ୍ଚିଛି। ଆହୁରି ୬ ହଜାର ଅଧ୍ୟାପକଙ୍କ ଅଭାବ ରହିଛି। ତାହାକୁ କିଭଳି ପୂରଣ କରାଯିବ ସେନେଇ ଥଳକୂଳ ପାଉନି ପରିଷଦ। ସେଲ୍ଫ ଫାଇନାନ୍ସିଂ କଲେଜ ଅଧ୍ୟାପକଙ୍କୁ ଖାତା ଦେଖାରେ ସାମିଲ କରିବାକୁ ପରିଷଦ ଟିକିଏ ପଛଘୁଞ୍ଚା ଦେଉଛି। ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ମୂଲ୍ୟାୟନ ଲାଗି ଆମେ ପ୍ରସ୍ତୁତ ରହିଛୁ। ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଅଧ୍ୟାପକମାନେ ଆମକୁ ସହଯୋଗ କରିବେ ବୋଲି ଆଶା ରହିଛି। ମୂଲ୍ୟାୟନର ପ୍ରତିଟି ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ତେଣୁ କୌଣସି ଅସୁବିଧା ହେବ ନାହିଁ।

ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଏବେ ବି ଜାରି ରହିଛି। ଗତକାଲି ରାତିରେ ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ପ୍ରତିଶ୍ରୁତିକୁ ବେଖାତିର କରି ହଜାର ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଏବେ ବି ଲୋୟର ପିଏମ୍‌ଜିରେ ଆମରଣ ଅନଶନରେ ବସି ରହିଛନ୍ତି। ଆଜି ପୂର୍ବାହ୍ନରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଗୋଲକ ନାୟକ, ପବିତ୍ର ମହାଲା, ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଫେବ୍ରୁଆରି ୧୮ରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବେଳେ ଯେଉଁ ନିର୍ଯ୍ୟାସ ବାହାରିଥିଲା ତାହାକୁ କାର୍ଯ୍ୟକାରୀ କରାଯାଉ। ନ ହେଲେ ମାଟ୍ରିକ୍‌ ପରି ଯୁକ୍ତ୨ ଖାତା ମୂଲ୍ୟାୟନ ବାତିଲ୍‌ କରାଯିବ। ମୂଲ୍ୟାୟନରେ ଯେଉଁ ତ୍ରୁଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର