ଆଜିଠୁ ଯୁକ୍ତ ୨ ପରୀକ୍ଷା: ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ସମ୍ବଲପୁର: କୋଭିଡ୍‌ ପାଇଁ ୨ ବର୍ଷ ପରେ ଗୁରୁବାର ଠାରୁ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବ। ୨୦୨୦ରେ ପରୀକ୍ଷା ଅଧାରୁ ବାତିଲ ହୋଇଥିବା ବେଳେ ୨୦୨୧ରେ କୋଭିଡ୍‌ର ଭୟାବହତା ଦେଖି ସମ୍ପୂର୍ଣ୍ଣ ବୋର୍ଡ଼ ପରୀକ୍ଷା ବାତିଲ କରାଯାଇଥିଲା। ଚଳିତବର୍ଷ ବିଳମ୍ବରେ ହେଲେ ବି ଅଫ୍‌ଲାଇନରେ ଗୁରୁବାରଠାରୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ମେ’ ମାସ ୯ ତାରିଖ ଠାରୁ ଆରମ୍ଭ ହେବ। ବିଜ୍ଞାନ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଭୋକେସନାଲ ଛାତ୍ରଛାତ୍ରୀମାନେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ତେବେ ଗୁରୁବାର ସକାଳ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ସେହିଭଳି ପ୍ରଥମଥର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ କୋଭିଡ଼ ୧୯କୁ ନଜରରେ ରଖି ବସିବା ବ୍ୟବସ୍ଥା କରାଯାଇଛି। ଖରାକୁ ଆଖିରେ ରଖି କେନ୍ଦ୍ରରେ ପାଣି ଓ ଅନ୍ୟାନ୍ୟ ଫାଷ୍ଟ୍‌ଏଡ୍‌ ବ୍ୟବସ୍ଥା କରାଯାଇଛି।

ଏଥର ପଶ୍ଚିମ ଓଡ଼ିଶାର ୪୩୦ଟି କଲେଜ୍‌ର ୭୧,୦୧୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୩୦୮ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀରର ୫୨ଟି କେନ୍ଦ୍ରରେ ୧୨,୧୧୫(କଳା-୯୨୮୩, ବାଣିଜ୍ୟ-୯୬୪, ବିଜ୍ଞାନ-୧୮୬୮) ଜଣ, ସୁବର୍ଣ୍ଣପୁରର ୨୭ଟି କେନ୍ଦ୍ରରେ ୫,୩୬୫(କଳା-୪୭୧୦, ବାଣିଜ୍ୟ-୧୧୧, ବିଜ୍ଞାନ-୫୪୪) ଜଣ, କଳାହାଣ୍ଡିର ୪୫ଟି କେନ୍ଦ୍ରରେ ୯୭୭୬(କଳା-୬୯୮୬, ବାଣିଜ୍ୟ-୩୬୩, ବିଜ୍ଞାନ-୨୪୨୭) ଜଣ, ନୂଆପଡ଼ାର ୧୫ଟି କେନ୍ଦ୍ରରେ ୩୭୮୯(କଳା-୨୬୨୨, ବାଣିଜ୍ୟ-୩୦୭, ବିଜ୍ଞାନ-୮୬୦) ଜଣ, ବରଗଡ଼ର ୪୬ଟି କେନ୍ଦ୍ରରେ ୧୦,୬୪୦(କଳା-୮୮୫୭, ବାଣିଜ୍ୟ-୪୪୮, ବିଜ୍ଞାନ-୧୩୩୫) ଜଣ, ଦେବଗଡ଼ର ୧୩ଟି କେନ୍ଦ୍ରରେ ୨୧୩୪(କଳା-୧୬୯୭, ବାଣିଜ୍ୟ-୮୧, ବିଜ୍ଞାନ-୩୫୬) ଜଣ, ଝାରସୁଗୁଡ଼ାର ୧୯ଟି କେନ୍ଦ୍ରରେ ୩୫୬୦(କଳା-୨୫୬୯, ବାଣିଜ୍ୟ-୪୩୮, ବିଜ୍ଞାନ-୫୫୩) ଜଣ, ସମ୍ବଲପୁରର ୩୫ଟି କେନ୍ଦ୍ରରେ ୮୮୪୦(କଳା-୫୪୪୯, ବାଣିଜ୍ୟ-୮୭୮, ବିଜ୍ଞାନ-୨୫୧୩) ଜଣ ଏବଂ ସୁନ୍ଦରଗଡ଼ର ୫୬ଟି କେନ୍ଦ୍ରରେ ୧୪,୭୯୨(କଳା-୯୩୪୩, ବାଣିଜ୍ୟ-୨୧୮୦, ବିଜ୍ଞାନ-୩୨୬୯) ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଅନ୍ୟପଟେ ଚଳିତବର୍ଷ ଭୋକେସନାଲ୍‌ରେ ପଶ୍ଚିମ ଓଡ଼ିଶାରୁ ମୋଟ ୧୧୪୦ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୯୮୭ ଜଣ ରେଗୁଲାର ଏବଂ ୧୫୩ ଜଣ ଏକ୍ସ ରେଗୁଲାର୍‌ ରହିଛନ୍ତି। ଛାତ୍ରଛାତ୍ରୀ ସାଙ୍ଗରେ କେବଳ ଆଡ୍‌ମିଟକାର୍ଡ, ବ୍ଲାକ ବଲ୍‌ ପେନ, ପାଣି ବୋତଲ ଓ ସାନିଟାଇଜର ନେଇ କେନ୍ଦ୍ରକୁ ଯାଇ ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ଜିନିଷ ଘଣ୍ଟା ହେଉ କି ମୋବାଇଲ କି ପରୀକ୍ଷା ବୋର୍ଡ଼ ନେଇପାରିବେ ନାହିଁ।

ସମ୍ବନ୍ଧିତ ଖବର