୧୩ ଜିଲ୍ଲାରେ ଯୁକ୍ତ୨ ଖାତା ଦେଖା ସ୍ଥଗିତ

ଉତ୍ତର ଖାତା ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦେଶ, ଖାତା ଦେଖାରେ ସାମିଲ ନ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ଖାତା ମୂଲ୍ୟାୟନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଯେଉଁ ଜିଲ୍ଲାରେ ବାତ୍ୟା ହେବାର ସମ୍ଭାବନା ରହିଛି ସେଠାରେ ମେ’ ୩ ତଥା ଶୁକ୍ରବାର ଖାତା ମୂଲ୍ୟାୟନ ବନ୍ଦ ରଖିବାକୁ କୁହାଯାଇଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର। ଏହି ଜିଲ୍ଲାରେ କରାଯାଇଥିବା ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଖାତା ଦେଖାକୁ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ଉତ୍ତର ଖାତାଗୁଡ଼ିକର ସୁରକ୍ଷା ଉପରେ ବି ଗୁରୁତ୍ବ ଦିଆଯାଇଛି। ବାତ୍ୟା ଓ ବର୍ଷା ସମୟରେ ବିଦ୍ୟୁତ୍‌ ପାୱାରକଟ୍‌ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ପାୱାର ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରିବାକୁ ସମ‌ସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରି‌ଟେଣ୍ଡଣ୍ଟଙ୍କୁ କୁହାଯାଇଛି। ଖାତାଗୁଡ଼ିକ ଯଦି ତଳେ ଥିବ ତାହାକୁ ତୁରନ୍ତ ଉଚ୍ଚ ସ୍ଥାନକୁ ନେଇଯିବା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ୪ ତାରିଖ ଦିନ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବାତ୍ୟା ଓ ବର୍ଷାର ସ୍ଥିତିକୁ ଦେଖି ମୂଲ୍ୟାୟନ ଚାଲିବ। ଯେଉଁ ଜିଲ୍ଲାରେ ବାତ୍ୟାର ପ୍ରଭାବ ନ ଥିବ ସେଠାରେ ଖାତା ଦେଖା ବନ୍ଦ ହେବ ନାହିଁ।

ଖାତା ମୂଲ୍ୟାୟନ ବିଳମ୍ବ ହେଉଥିବାରୁ ସବୁ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି ଖାତା ଦେଖିବା ଲାଗି କଲେଜ ଅଧ୍ୟାପକମାନଙ୍କୁ ତୁରନ୍ତ ଛ‌ାଡ଼ିବା ଲାଗି କୁହାଯାଇଛି। ଯେଉଁ ଅଧ୍ୟାପକମାନେ ଖାତା ମୂଲ୍ୟାୟନରେ ସାମିଲ ନ ହେବେ ସେମାନଙ୍କ ଦରମା ବନ୍ଦ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ନିର୍ଦେଶ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର