୩ ଘଣ୍ଟାରେ ଦୁଇଟି ବିଷୟ

ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀରେ ବିଭ୍ରାଟ ଅଭିଯୋଗ

ଭୁବନେଶ୍ୱର : ସବୁ ବର୍ଷ ଯୁକ୍ତ୨ ପରୀକ୍ଷା ସମୟରେ ବିବାଦ ଘେରରେ ରହୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଥର ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିବା କ୍ଷଣି ବିବାଦ ଘେରକୁ ଆସିଛି। ପୂର୍ବରୁ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ପରୀକ୍ଷା ଅଲଗା ଅଲଗା ଦିନରେ ଦେଉଥିଲେ। ହେଲେ ଚଳିତବର୍ଷ ଗୋଟିଏ ଦିନରେ ଦୁଇଟି ଯାକ ବିଷୟର ପରୀକ୍ଷା କରାଯିବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉକ୍ତ ଦୁଇଟି ଯାକ ବିଷୟକୁ ମିଶାଇ ଦିଆଯାଇ ଜୀବ ବିଜ୍ଞାନ ବିଷୟ କରାଯାଇଛି। ୩ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି କୁହାଯାଇଛି।

ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କେତେକ ଯୁକ୍ତ୨ କଲେଜ ଛାତ୍ରଛାତ୍ରୀ ଆଜି ପରିଷଦ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକରେ ଦୁଇ ଦିନରେ ଦୁଇଟି ପରୀକ୍ଷା ହେଉଥିଲା। ଏଥର ଗୋଟିଏ ଦିନରେ ଦୁଇଟି ପରୀକ୍ଷା ହେବ ବୋଲି ପୂର୍ବରୁ କେବେ ବି ସୂଚନା ଦିଆଯାଇ ନାହିଁ। ଏଭଳି କାର୍ଯ୍ୟସୂଚୀ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ। ମାର୍ଚ୍ଚର୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ୩ ଘଣ୍ଟା ଧରି ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ବିଷୟ ଏବଂ ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ବିଷୟର ପରୀକ୍ଷା କରାଯିବ। ପୂର୍ବରୁ ଉଭୟ ବିଷୟ ପରୀକ୍ଷା ଲାଗି ଦୁଇ ଦିନରେ ଦୁଇ ଘଣ୍ଟା ଲେଖାଏ ମିଳୁଥିଲା। ଏବେ ୩ ଘଣ୍ଟା ଭିତରେ ଦୁଇଟି ବିଷୟରେ କିଭଳି ଉତ୍ତର ଲେଖିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର କହିଛନ୍ତି ଯେ ଏନେଇ ମୋ ପାଖରେ କୌଣସି ସୂଚନା ନାହିଁ। ପରିଷଦର ଅଧିକାରୀଙ୍କ ସହ ଆଲୋଚନା କରିବି। ଯଦି ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହେଉଥିବ ତେବେ କାର୍ଯ୍ୟସୂଚୀ ପରିବର୍ତନ କରାଯିବ। ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିବିଏସ୍‌ଇରେ ଦୁଇଟି ଯାକ ବିଷୟକୁ ଛାତ୍ରଛାତ୍ରୀ ଜୀବ ବିଜ୍ଞାନରେ ପରୀକ୍ଷା ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଗୋଟିଏ ଦିନରେ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟ ପରୀକ୍ଷା କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର