+୨ ପରୀକ୍ଷା‌ ଫଳ : ଶ୍ରେଷ୍ଠ ୨୦ରେ ବିଜେବି ନାହିଁ, ତାଲିକାରେ ରେଭେନ୍ସାର ପତିଆରା, ମାଲକାନଗିରିରେ ନାହିଁ ଧନ୍ଦାମୂଳକ କଲେଜ

କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବର : ନାମଲେଖା ବେଳେ କଟ୍‌ ଅଫ୍‌ ମାର୍କରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଆଗରେ ରହୁଛି। ଦଶମ ଶ୍ରେଣୀରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଏହି କଲେଜରେ ନାମ ଲେଖାଉଛନ୍ତି। ଭଲ ପାଠପଢ଼ା ହେଉଛି ବୋଲି କଲେଜର ନାଁ ବି ରହିଛି। ତେବେ ଏଥର ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ଫଳ ପ୍ରକାଶ ପାଇବା ପରେ କଲେଜର ପ୍ରକୃତ ଚିତ୍ର ପଦାରେ ପଡ଼ିଛି। କଳା ବିଭାଗର ଶ୍ରେଷ୍ଠ ୨୦ ଓ ବାଣିଜ୍ୟ ବିଭାଗର ୯୦%ରୁ ଅଧିକ ନମ୍ବର ରଖିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜେବି କଲେଜର ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି।

ଯେତେବେଳେ କି ରେଭେନ୍ସା ଯୁକ୍ତ୨ କଲେଜ ଉଭୟ ବିଭାଗରେ ପୋଛି ନେଇଛି। କଳା ବିଭାଗରେ ଏଠାକାର ୭ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୨୦ ଭିତରେ ରହିଛନ୍ତି। ପ୍ରଥମ ସ୍ଥାନକୁ ଛାଡ଼ି ଶ୍ରେଷ୍ଠ ୬ଟି ସ୍ଥାନରେ ରେଭେନ୍ସା ଛାତ୍ରଛାତ୍ରୀଙ୍କ ପତିଆରା ଦେଖିବାକୁ ମିଳିଛି। ବାଣିଜ୍ୟ ବିଭାଗରେ ରେଭେନ୍ସା କଲେଜର ୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଟପର୍ ତାଲିକାର ୩ ନମ୍ବର ସ୍ଥାନରେ ରେଭେନ୍ସା କଲେଜ ଛାତ୍ରୀ ବିଶାଖା ଗୁପ୍ତା ରହିଛନ୍ତି। ରେଭେନ୍ସା ବ୍ୟତୀତ ରାଜ୍ୟର ଆଉ କୌଣସି ବି ନାମକରା କଲେଜ ସେଭଳି ଆଖିଦୃଶିଆ ‌ଫଳ କରିନାହାନ୍ତି।

ବିଜେବି ସମେତ ଭୁବନେଶ୍ବରରେ ଥିବା ରମାଦେବୀ ମହିଳା କଲେଜ, କମଳା ନେହେରୁ କଲେଜ, ମହର୍ଷି କଲେଜ, ଦେବରାୟ କଲେଜର କୌଣସି ଛାତ୍ରଛାତ୍ରୀ କଳା ବିଭାଗର ଶ୍ରେଷ୍ଠ ୨୦ରେ ନାହାନ୍ତି। ପୁରୀର ଏସ୍‌ସିଏସ୍‌ କଲେଜ, ବ୍ରହ୍ମପୁରର ଖଲ୍ଲିକୋଟ କଲେଜ, ଢେଙ୍କାନାଳ କଲେଜ, କେନ୍ଦ୍ରାପଡ଼ା କଲେଜ, ଫକୀରମୋହନ କଲେଜର ଛାତ୍ରଛାତ୍ରୀଙ୍କୁ ଏହି ତାଲିକାରେ ଦେଖିବାକୁ ମିଳି ନାହିଁ। ‌ଶୈଳବାଳା ମହିଳା କଲେଜ ଛାତ୍ରୀ ଶିବାନୀ ପ୍ରିୟଦର୍ଶିନୀ ଟପର୍‌ ହୋଇଥିଲେ ମଧ୍ୟ ଆଉ କୌଣସି ଛାତ୍ରୀ ଶ୍ରେଷ୍ଠ ୨୦ ନାହାନ୍ତି। ଗଙ୍ଗାଧର ମେହେର କଲେଜର ଦୁଇ ଜଣ, ବାରିପଦା ଏମ୍‌ପିସି କଲେଜର ଜଣେ ସ୍ଥାନ ପାଇଛି। ବାଣିଜ୍ୟ ବିଭାଗରେ ବି ଅନୁରୂପ ଭାବେ ନାମକରା କଲେଜର ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିନି।

ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ବି ବାଣିଜ୍ୟ କଲେଜ ପ୍ରତିଷ୍ଠା ହୋଇପାରି ନାହିଁ। ନା ସରକାର ଏଥିପ୍ରତି ଆନ୍ତରିକତା ଦେଖାଉଛନ୍ତି ନା ଘରୋଇ ସ˚ସ୍ଥା। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦେଖିବାକୁ ମିଳିଛି ଯେ ଏହି ଜିଲ୍ଲାର ଜଣେ ବି ହେଲେ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି।

ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ‌ତେବେ ମାଲକାନଗିରି ପରି ଜିଲ୍ଲାରେ ଏପର୍ଯ୍ୟନ୍ତ ଧନ୍ଦାମୂଳକ କଲେଜ ଖୋଲିପାରି ନାହିଁ। ଏପରିକି ସେଠାରେ ଥିବା କୌଣସି ବି ଯୁକ୍ତ୨ କଲେଜରେ ଏପର୍ପ୍ୟନ୍ତ ଧନ୍ଦାମୂଳକ ପାଠ୍ୟକ୍ରମ ଖୋଲାଯାଇ ନ ଥିବା ଜଣାପଡ଼ିଛି। ଯେଉଁଠି ଅନ୍ୟ ଜିଲ୍ଲାଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି ସେତେବେଳେ ମାଲକାନଗିରି ପରି ଉପାନ୍ତ ଜିଲ୍ଲାରେ ଗୋଟିଏ ବି କଲେଜ ନ ରହିବା ଦୁଃଖର ବିଷୟ ବୋଲି ଶିକ୍ଷାବିତ୍‌ମାନେ ମତପୋଷଣ କରିଛନ୍ତି। ଗତବର୍ଷ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା।

କାର୍ଯ୍ୟାନୁଷ୍ଠାନ ହେବ

ପରୀକ୍ଷା ଫଳ ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବର୍ଷ ପରୀକ୍ଷା ପରିଚାଳନା ଠିକ୍‌ ଭାବେ ହୋଇଛି। କପି ରୋକିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା। ଯେଉଁଥିପାଇଁ ଏଥର ବିଜ୍ଞାନ ବିଭାଗ ପରି କଳା ଓ ବାଣିଜ୍ୟ ବିଭାଗ ପାସ୍‌ହାର ହ୍ରାସ ପାଇଲା। ଯେଉଁ କଲେଜ ଖରାପ ଫଳ କରିଛନ୍ତି ସେମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜ୍ଞାନ ବିଭାଗରେ ଖରାପ ପ୍ରଦର୍ଶନ କରିଥିବା ୯ଟି କଲେଜ ମଧ୍ୟରୁ ୬ଟି କଲେଜ ବନ୍ଦ ହୋଇଯାଇଛି। ବାକି ୩ଟି କଲେଜକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। କଳା ଓ ବାଣିଜ୍ୟ ବିଭାଗରେ କୌଣସି ପରୀକ୍ଷାର୍ଥୀ ପାସ୍‌ କରି ନଥିବା କଲେଜ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ। ଅନୁଧ୍ୟାନ ପରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର