କପି କରି ଧରାପଡ଼ିଲେ ୩୧ ପରୀକ୍ଷାର୍ଥୀ

ଯୁକ୍ତ୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାରେ ସରିଛି ଯୁକ୍ତ୨ ପରୀକ୍ଷାର ପ୍ରଥମ ଦିନ। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଥିଲେ ମଧ୍ୟ କୌଣସି ପ୍ରକାର ଅଘଟଣ ହୋଇନାହିଁ। କଡ଼ା ସୁରକ୍ଷା ଓ ବ୍ୟାପକ ଯାଞ୍ଚ ମଧ୍ୟରେ ପରୀକ୍ଷା ସରିଛି। ପ୍ରଥମ ଦିନରେ କପି କରି ୩୧ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌(ଏମ୍‌ପି) ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି। ଆଜି ନିର୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ୩ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୭ଟାରୁ ପରୀକ୍ଷା ପରିଚାଳନା ହବ୍‌ରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଘଣ୍ଟା ପୂର୍ବରୁ କେନ୍ଦ୍ରର ମୁଖ୍ୟ ଫାଟକ ଖୋଲାଯାଇଥିଲା। ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଓ ପୂର୍ବାହ୍ନ ୧୦ଟାରେ ପ୍ରଶ୍ନପତ୍ର ଦିଆଯାଇଥିଲା। ମୁଖ୍ୟ ଫାଟକରେ ଯାଞ୍ଚ କଡ଼ାକଡ଼ି ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି ନେଇ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। ପରିଷଦ ଦ୍ୱାରା ଗଠିତ ହୋଇଥିବା ଫ୍ଲାଇଂ ସ୍କ୍ଵାଡ୍‌ ଯାଞ୍ଚ କରି ୩୧ ଜଣ ପରୀକ୍ଷାର୍ଥୀଙ୍କୁ କପି କରିବା ସମୟରେ ଧରିଛନ୍ତି। ଏଥିସହ ହବ୍‌ ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧି, ଡିଏଲ୍‌ସିଙ୍କ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍‌ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ଵାଡ୍‌ ମଧ୍ୟ କେନ୍ଦ୍ରକୁ ଯାଇ ଯାଞ୍ଚ କରିଥିଲେ। ଏହାଛଡ଼ା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ଆଜି ଭୁବନେଶ୍ୱରର ୩ଟି ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ। ପରୀକ୍ଷା କେନ୍ଦ୍ର ଅଧିକାରୀଙ୍କ ସହ ପରୀକ୍ଷା ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, କ୍ୟାମେରା, ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ କେତେକ କେନ୍ଦ୍ର ଭିତରୁ ମୋବାଇଲ୍‌ ଜବତ ହୋଇଛି। କେନ୍ଦ୍ର ଭିତରକୁ ଅଧ୍ୟାପକ, ଅଧ୍ୟାପିକା ମୋବାଇଲ୍‌ ନେଇ ଯାଇଥିବା ବେଳେ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ସେଗୁଡ଼ିକୁ ଜବତ କରି ଏକ ରୁମ୍‌ରେ ଲକ୍‌ କରି ରଖିଥିଲେ। ପରୀକ୍ଷା ସରିବା ପରେ ସେଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ବୁଧବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଇଂରାଜୀ ବିଷୟର ପରୀକ୍ଷା ରହିଛି। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। କଳା ବିଭାଗରେ ଇଂରାଜୀ ବିଷୟ କଷ୍ଟକର ଥିବାରୁ କପି ଉପରେ ରୋକ ଲଗାଇବା ଲାଗି ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ସ୍କ୍ଵାଡ୍‌ରେ ଅଧିକ ସଦସ୍ୟଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର