ଭୁବନେଶ୍ବର: ଯୁକ୍ତ୨ ପ୍ରଥମ ବର୍ଷରେ ପାସ୍‌-ଫେଲ୍‌ ପ୍ରଥାକୁ ହଟାଇବା, ୩୩ ପ୍ରତିଶତ ମାର୍କ ବ୍ୟବସ୍ଥାକୁ ପ୍ରଚଳନ ନ କରିବା ଦାବିରେ ଭୁବନେଶ୍ବରର ବିଭିନ୍ନ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଜାରି ରହିଥିବା ବେଳେ ଏହା ଉପରେ ପୁନର୍ବିଚାର କରିବା ଲାଗି ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପରୀକ୍ଷା ପାଇଁ ଆନ୍ଦୋଳନ କରିବା ଉଚିତ ନୁହେଁ। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ବି ସେମାନେ ପରୀକ୍ଷା ଦେବେ। ତେଣୁ ଅସୁବିଧା କେଉଁଠି ରହୁଛି? ଯଦି ସେମାନେ କହୁଛନ୍ତି ପାଠପଢ଼ା ହୋଇନି; ତେବେ ଯେତିକି ପାଠପଢ଼ା ହୋଇଛି ସେହି ଅନୁଯା‌ୟୀ କଲେଜ କର୍ତୃପକ୍ଷ ପ୍ରଶ୍ନପତ୍ର କରି ପିଲାଙ୍କ ପରୀକ୍ଷା କରାଇବେ। ‌ତେଣୁ ସମସ୍ୟା ହେବନି। ତଥାପି ପିଲାଙ୍କ ଦାବି ନେଇ ବିଚାର କରାଯିବ। ସେମାନେ ଚାହିଁଲେ ଆଲୋଚନା ହେବ।

Advertisment

ଇତିମଧ୍ୟରେ ଏହି ପ୍ରସଙ୍ଗରେ ତିନି ଦିନ ହେଲା ଲଗାତାର ଭାବେ ସହରର ବିଭିନ୍ନ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତା ଅବରୋଧ କରୁଛନ୍ତି। ଏହାଦ୍ବାରା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ‌ଭୁବନେଶ୍ବରର ଗୋଟିଏ ପରେ ଗୋଟିଏ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ କଲେଜର ଛାତ୍ରଛାତ୍ରୀ ପ୍ରତିଦିନ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଆଜି ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ରାସ୍ତା ଅବରୋଧ କରିଥିଲେ।