ମାଛ ମାରିବାକୁ ଯାଇ ୨ ଶ୍ରମିକ ମୃତ, ୫ ଦିନ ପରେ ମିଳିଲା ମୃତଦେହ

ଦୁର୍ଘଟଣା ନା ହତ୍ୟା?

ଚାନ୍ଦିପୁର/ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ ମୁହାଣଠାରୁ ଅନତିଦୂର ସମୁଦ୍ର ଭିତରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇଜଣ ହେଲେ ବାଲେଶ୍ବର ସଦର ଥାନା ଅଞ୍ଚଳର ବୁଦ୍ଧିଆ ସିଂଙ୍କ ପୁତ୍ର ପଣ୍ଡା ସିଂ (୫୫) ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢ଼ୁଆଁ ଅଞ୍ଚଳର ଜଗବନ୍ଧୁ ଦାସଙ୍କ ପୁତ୍ର ଜୟାନନ୍ଦ ଦାସ (୩୬)। ଦୁହେଁ ଟ୍ରଲରରେ ଶ୍ରମିକ ଭାବେ କାମ କରୁଥିଲେ।

ସୂଚନା ମୁତାବକ, ଗତ ୧୯ ତାରିଖ ରାତିରେ ‘ଷୋଳଭଉଣୀ’ ନାମକ (ନଂ ଆଇଏନ୍‌ଡି ଓଆର୍‌-ଏମ୍‌ଏମ୍‌-୧୦୦୮) ଏକ ଟ୍ରଲରରେ ଡ୍ରାଇଭର ଗଣେଶ ବଗାଳଙ୍କ ସହ ଅନ୍ୟ ଶ୍ରମିକମାନେ ବଳରାମଗଡ଼ିଠାରୁ କିଛି ଦୂର ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟାବେଳେ ସେଥିରେ ଯାଇଥିବା ପଣ୍ଡା ସିଂ ପରିସ୍ରା କରିବା ସମୟରେ ସମୁଦ୍ର ଜଳରାଶିରେ ଖସି ପଡ଼ିଥିଲେ। ‌ଅନ୍ୟପକ୍ଷରେ ବଳରାମଗଡ଼ି ମୁହାଣରେ ଥିବା ମହାବୀର-ତାରିଣୀ (୪) (ନଂ ଆଇଏନ୍‌ଡି-ଓଆର-୦୧-ଏମ୍‌ଏମ୍‌-୧୩୬) ଟ୍ରଲରରେ ମଧ୍ୟ ସମାନ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ଟ୍ରଲରରେ ଜୟାନନ୍ଦ ଦାସ ନାମକ ଶ୍ରମିକ ସେହି ରାତିରେ କୌଣସି କାରଣରୁ ନ ପାଣିରେ ଗଳିପଡ଼ିଥିବା କୁହାଯାଉଛି। ଏହି ଦୁଇଟି ଘଟଣା ସମ୍ପର୍କରେ ଦୁଇ ଟ୍ରଲର୍‌ ଡ୍ରାଇଭର ବଳରାମଗଡ଼ି ଟ୍ରଲର୍‌ ଆସୋସିଏସନ୍‌କୁ ସୂଚନା ଦେଇ ଖୋଜାଖୋଜି କରୁଥିବା କହିଥିଲେ।

ତେବେ ଆଜି ୫ ଦିନ ପରେ ହଠାତ ଦୁଇ ଶ୍ରମିକଙ୍କ ମୃତଦେହ ସମାନ ଦିନରେ ସମୁଦ୍ରରୁ ଠାବ ହେବା ସାଧାରଣରେ ଘୋର ସନ୍ଦେହ ସୃଷ୍ଟି କରିଛି। ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଟ୍ରଲର୍‌, ଡଙ୍ଗା, ଗିଲେଟିନ୍‌ ଆଦିରେ ‘ଡାଟ୍‌ ମେସିନ୍‌’ ବ୍ୟବସ୍ଥା ଥିବାବେଳେ ଏହି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଲାଗି ସମ୍ପୃକ୍ତ ଦୁଇ ଡ୍ରାଇଭର କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ ନା ନାହିଁ, ଦୁଇ ଶ୍ରମିକ ପାଣିରେ ଖସି ପଡ଼ିବା ସମ୍ପର୍କରେ ସେମାନେ ‌ସାମୁଦ୍ରିକ ଥାନାରେ ଅଭିଯୋଗ ନ କରି ୫ ଦିନ ଯାଏ ଚୁପ୍ ବସିଥିଲେ କାହିଁକି, ମୃତକଙ୍କୁ ଉଦ୍ଧାର ପାଇଁ ଆଖପାଖରେ ଥିବା ଅନ୍ୟ ଟ୍ରଲର୍‌, କୂଳରେ ଥିବା କୋଷ୍ଟଗାର୍ଡ କିମ୍ବା ମେରାଇନ୍‌ ପୁଲିସ୍‌ର ସହାୟତା ମାଗିଥିଲେ କି… ଏମିତି ନାନା ପ୍ରଶ୍ନ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର