ରାଉରକେଲା: ଜବତ କାଠବୋଝେଇ ଲୁନା ଛାଡ଼ିଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରାଉରକେଲା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ବଣାଇ ବନଖଣ୍ଡର ଦୁଇ କର୍ମଚାରୀ। ଭିଜିଲାନ୍ସ ଟିମ୍‌ ଜଗୁଆଳିଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଫରେଷ୍ଟ ଗାର୍ଡ ସନାତନ ପାତ୍ର ଏବଂ ଜଗୁଆଳି ନରେନ୍ଦ୍ର କାଲୋ। ଦୁହେଁ ବଣାଇ ବନଖଣ୍ଡ ଅନ୍ତର୍ଗତ ଧରଣୀଧରପାଲି ନର୍ସରିରେ କାର୍ଯ୍ୟ କରୁଛନ୍ତି।

Advertisment

ବଣାଇ ବ୍ଲକ ଅନ୍ତର୍ଗତ ଦହିଚୋର ଗ୍ରାମର ଉମାକାନ୍ତି ମହାକୁଡ଼ଙ୍କ ସ୍ବାମୀ କିଛି ଦିନ ପୂର୍ବରୁ ଲୁନାରେ କାଠଲଦି ଘରକୁ ଫେରୁଥିଲେ। ଧରଣୀଧରପାଲି ନର୍ସରି ନିକଟରେ ଫରେଷ୍ଟଗାର୍ଡ ସନାତନ ଓ ଜଗୁଆଳି କାଲୋ ଲୁନାକୁ ଅଟକାଇଥିଲେ। ୭ ହଜାର ଟଙ୍କା ଦେଲେ ଲୁନା ଛଡ଼ାଯିବ ନହେଲେ ଜବତ କରି ଅଫିସ୍‌କୁ ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ। ଉମାକାନ୍ତି ଦୁଇ ବନକର୍ମଚାରୀଙ୍କ ଦାବିମୁତାବକ ୭ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ଘଟଣା ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ।

ଭିଜିଲାନ୍ସ ଅଧିକାରୀ ଉମାକାନ୍ତିଙ୍କୁ ରଙ୍ଗବୋଳା ୭ ହଜାର ଟଙ୍କା ଦେବା ସହ ଦୁଇ ବନକର୍ମଚାରୀଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଆଜି ଦୁହେଁ ନର୍ସରିରେ ଥିବାବେଳେ ଉମାକାନ୍ତି ରଙ୍ଗବୋଳା ଟଙ୍କା ଦେଇଥିଲେ। ନରେନ୍ଦ୍ର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ଦୁହିଁଙ୍କୁ ସେଠାରେ ମାଡ଼ି ବସିଥିଲେ। ଏକକାଳୀନ ଭିଜିଲାନ୍ସ ଟିମ୍‌ ଫରେଷ୍ଟଗାର୍ଡ ସନାତନ ପାତ୍ରଙ୍କ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବାଙ୍କି ବଜାର ଘରେ ମଧ୍ୟ ଚଢ଼ଉ କରିଥିଲେ।