ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଫୁଟିଲା ଗୁଳି। ଏହାର ଶିକାର ହୋଇଛନ୍ତି ଦୁଇଜଣ ବନ କର୍ମଚାରୀ। ଆହତ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ କୁଲଡ଼ିହା ରେଞ୍ଜ୍‌ ଅଧୀନ ପଞ୍ଚଲିଙ୍ଗେଶ୍ବର ବିଟ୍‌ର ଫରେଷ୍ଟ ଗାର୍ଡ ସିଂରାୟ ହେମ୍ବ୍ରମଙ୍କ ସହ ୫ ଜଣ ସବୁଜ ବାହିନୀ ସଦସ୍ୟ ଅଭୟାରଣ୍ୟରେ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ଜଙ୍ଗଲ ଭିତରେ ଟର୍ଚ୍ଚ ଲାଇଟ୍‌ ଦେଖିବାକୁ ମିଳିବା ସହ ବନ୍ଧୁକ ଫୁଟିବାର ଶବ୍ଦ ଶୁଭିଥିଲା। ୩ ଘଣ୍ଟାର ଖୋଜାଖୋଜି ପରେ ସେମାନେ ବିଟ୍ ଅଧୀନ ଧାନଶୁଖା ଚତୁରୀ ନିକଟରେ ଦୁଇଜଣ ଶିକାରୀଙ୍କୁ ଘେରିପକାଇଥିଲେ।

Advertisment

ଆତ୍ମସମର୍ପଣ ପାଇଁ କହିବାରୁ ସେମାନେ ଦେଶୀ ବନ୍ଧୁକରୁ ବନକର୍ମଚାରୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ସବୁଜ ବାହିନୀ ସଦସ୍ୟ କ୍ଷିତୀଶ ପରିଡ଼ା ଓ ବିରଞ୍ଚି ଜେନା ଗୁରୁତର ଆହତ ହୋଇଥିଲେ। କ୍ଷିତୀଶଙ୍କ ଗୋଟିଏ ଗୋଡ଼ରେ ଗୁଳି ବାଜିଥିଲା ବେଳେ ବିରଞ୍ଚିଙ୍କ ଦୁଇ ଗୋଡ଼ରେ ବାଜିଥିଲା। ତଥାପି ବନ କର୍ମଚାରୀମାନେ ନଡ଼ରି ସାହସର ସହ ସାମ୍ନା କରିଥିଲେ ଏବଂ ଉଭୟଙ୍କୁ କାବୁକୁ ଆଣିଥିଲେ। ଦୁହେଁ ହେଲେ, ନୀଳଗିରି ଥାନା ଅଧୀନ ଶିଆଡ଼ିମାଳ ଗ୍ରାମର ସୋନିଆ ସିଂ (୪୦) ଏବଂ କଣ୍ଟାବଣିଆ ଗ୍ରାମର ଗୁନା ସିଂ (୩୦)। ଦୁହିଁଙ୍କଠାରୁ ୨ଟି ବନ୍ଧୁକ ସହ ଟର୍ଚ୍ଚ, ଅଫୁଟା ଗୁଳି ଓ କଟୁରି ଜବତ କରାଯାଇଛି। ବନ ବିଭାଗ ୨୮/୨୪ ଏବଂ ନୀଳଗିରି ପୁଲିସ ୮୭/୨୪ରେ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ବାରିପଦା ଆର୍‌ସିସିଏଫ୍‌ ଡ. ପ୍ରକାଶ ଚାନ୍ଦ ଗୋଗିନାନୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଶିକାରୀଙ୍କ ଗୁଳିରୁ ବର୍ତ୍ତିଯାଇଥିବା ବନ କର୍ମଚାରୀଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କରାଯାଇଛି। ଏଥିରେ ବାଲେଶ୍ବର ଡିଏଫ୍‌ଓ ଖୁସୱନ୍ତ ସିଂ ଓ ଏସିଏଫ୍‌ଓ ଦିଗନ୍ତ ଶୋଭନ ଚାନ୍ଦ, କୁଲଡ଼ିହା ରେଞ୍ଜର ପ୍ରବୀର ମୁର୍ମୁ, ପଞ୍ଚଲିଙ୍ଗେଶ୍ବର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ବିବେଦୀ ଏବଂ ଅନ୍ୟ ବନ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପିସିସିଏଫ୍‌ କହିଛନ୍ତି, ଆଗାମୀଦିନରେ କୁଲଡ଼ିହା ଅଭୟାରଣ୍ୟ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ୍‌ କରାଯିବ। ଯେଉଁମାନେ ବେଆଇନ ବନ୍ଧୁକ ରଖିଛନ୍ତି, ବନ ବିଭାଗ ପାଖରେ ଜିମା ଦେଇଦିଅନ୍ତୁ। ନଚେତ୍‌ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।