ଭୁବନେଶ୍ବର: କେତେବେଳେ କେନ୍ଦ୍ର ତ କେତେବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବଡ଼ ଅଫିସର ପରିଚୟ ଦେଇ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ବିଭିନ୍ନ ଠିକାସଂସ୍ଥା ତଥା କମ୍ପାନିମାନଙ୍କୁ ଚୂନ ଲଗାଉଥିଲେ। କାହାକୁ ଠକେଇ ମାମଲାରୁ ଉଦ୍ଧାର କରିବାକୁ ତ କାହାକୁ ସରକାରୀ ସୁବିଧା ଯୋଗାଇବାକୁ ପ୍ରଲୋଭିତ କରି କୋଟିକୋଟି ଟଙ୍କା ଆଦାୟ କରୁଥିଲେ। କେବଳ ସେତିକି ନୁହେଁ, ବଡ଼ବଡ଼ ଅଫିସରଙ୍କ ଛଦ୍ମବେଶରେ ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବି ସାମିଲ ହେଉଥିଲେ। ଏମିତିକି ହାଇସିକ୍ୟୁରିଟି ଜୋନ୍‌ରେ ମଧ୍ୟ ସେମାନଙ୍କର ଅବାଧ ପ୍ରବେଶ ଥିଲା। ଦିଲ୍ଲୀ, ରାଜସ୍ଥାନ ଓ ଓଡ଼ିଶାରେ ଏହି ଧୂର୍ତ୍ତ ଯୋଡ଼ିଙ୍କ ନେଟ୍‌ୱର୍କ ବେଶ୍‌ ସକ୍ରିୟ ଥିଲା। ମାତ୍ର ଶେଷରେ ଏହି ଧୂର୍ତ୍ତ ଯୋଡ଼ି ସିବିଆଇ ପଞ୍ଝାରେ ଫସିଛନ୍ତି। ଏକ ନେଟ୍‌ୱର୍କ ସଂସ୍ଥାର ସିଇଓଙ୍କଠାରୁ ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ସେମାନଙ୍କୁ ଧରିଛି। ସେମାନେ ହେ‌ଲେ ଅଜିତ କୁମାର ପାତ୍ର ଓ ମିଙ୍କୁଲାଲ୍ ଜୈନ। ଉଭୟଙ୍କ ନିକଟରୁ ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା, ଏକ କେଜି ସୁନାଗହଣା, ଅଜିତ ପାତ୍ର ନାଁରେ ଥିବା ୨୬ଟି ପ୍ଲଟ୍, ୪ଟି ବିଳାସପୂର୍ଣ୍ଣ ଦାମୀ ଚାରିଚକିଆ ଗାଡ଼ି, ୧୨ଟି ଅନ୍ୟ ଗାଡ଼ି ସହ ଅନେକ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରାଯାଇଛି। ଏବେ ବି ଦିଲ୍ଲୀ, ରାଜସ୍ଥାନରେ ଚଢ଼ଉ ଜାରି ରହିଛି। 

Advertisment

ଅଫିସର୍‌ ସାଜି ଚୂନ ଲଗାଉଥିଲେ
ନେଟ୍‌ୱର୍କ ସଂସ୍ଥାର ସିଇଓଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

୩.୭୦ କୋଟି ଟଙ୍କା, କେଜିଏ ସୁନା, ୨୬ ପ୍ଲଟ୍ ଓ ୪ ଦାମୀ କାର୍‌ ଜବତ


ଗତ ୪ ତାରିଖ ଦିନ ରାଜସ୍ଥାନ ଜୟପୁରସ୍ଥିତ ସାଇବଡିର୍ ନେଟ୍‌ୱର୍କ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ ବିନୋଦ ପରିହାରଙ୍କ କାର୍ଯ୍ୟାଳୟ ଓ ଘରେ ଜିଏସ୍‌ଟି ଚଢ଼ଉ କରାଯାଇଥିଲା। ଗିରଫଦାରୀରୁ ବର୍ତ୍ତିବା‌ ପାଇଁ ବିନୋଦ ଏହି ଧୂର୍ତ୍ତ ଯୋଡ଼ିଙ୍କୁ ଯୋଗାଯୋଗ କରିଥିଲେ। ଅଜିତ ଓ ମିଙ୍କୁ ନିଜକୁ ଡିରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ଜିଏସ୍‌ଟି ଇଣ୍ଟେଲିଜେନ୍‌ସ (ଡିଜିଜିଆଇ)ର ପଦସ୍ଥ ଅଧିକାରୀଙ୍କ ନିକଟତମ ଅଧିକାରୀ ବୋଲି ଦର୍ଶାଇଥିଲେ ଏବଂ ମାମଲା ରଫାଦଫା କରିବେ ବୋଲି ବିନୋଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଧୂର୍ତ୍ତ ଯୋଡ଼ି ୧୮ଲକ୍ଷ  ଟଙ୍କା ଦାବି କରିଥିଲେ। ୧୦ ତାରିଖ ଦିନ ବି‌ନୋଦ ତାଙ୍କ ସହଯୋଗୀ ଜଗତ୍‌ଜିତ ସିଂ ଗିଲ୍‌ଙ୍କ ହାତରେ ୧୮ ଲକ୍ଷ ଟଙ୍କା ଦେଇ ଧୂର୍ତ୍ତ ଯୋଡ଼ିଙ୍କ ପାଖକୁ ପଠାଇଥିଲେ। କିନ୍ତୁ ଏହା ପୂର୍ବରୁ ସିବିଆଇ ନିକଟରେ ଏହି ଖବର ପହଞ୍ଚିଯାଇଥିଲା। ଜଗତ୍‌ଜିତ୍‌ ସେମାନଙ୍କୁ ଟଙ୍କା ଦେବା ବେଳେ ଛକି ରହିଥିବା ସିବିଆଇ ଟିମ୍‌ ମାଡ଼ି ବସିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦୁଇ ଧୂର୍ତ୍ତ ନିଜକୁ ଇଡି, ସିବିଆଇ, ବିଚାର ବିଭାଗର ପଦସ୍ଥ ଅଧିକାରୀ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ। ଏମିତିକି ସେମାନେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ବୋକା ବନାଇ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ହାତଉଥିଲେ। ଏମିତିକି ଭିଭିଆଇପି ସୁବିଧା ସୁଯୋଗ ପାଇପାରୁଥିଲେ।