କୁଆଡ଼େ ଗଲା ଯୁକ୍ତ୨ ସଂସ୍କାର ରିପୋର୍ଟ?

ସିବିଏସ୍‌ଇ ଢାଞ୍ଚା କହି ପିଲାଙ୍କ ଉପରେ ପରୀକ୍ଷା ଚାପ!

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ଲାଗିରହିଛି ବିରୋଧ। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରାଯିବା ପରିବର୍ତେ ୨୦୧୬ରୁ ସିବିଏସ୍‌ଇ ଢାଞ୍ଚାରେ ସିଲାବସ୍‌ ପ୍ରସ୍ତୁତ କରାଯାଇଛି। ସେହି ଅନୁଯାୟୀ ପିଲାମାନେ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟକୁ ମିଶାଇ ଜୀବ ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ ବୋଲି ପରିଷଦର ଅଧିକାରୀମାନେ ସଫେଇ ଦେଉଛନ୍ତି। ଏ ସମ୍ପର୍କରେ କଲେଜ କର୍ତୃପକ୍ଷ ଦେଢ଼ ବର୍ଷ ହେଲା କିଭଳି ଜାଣିପାରିଲେ ନାହିଁ? ଯଦି ବୁଝି ନ ପାରିଲେ ତେବେ କାହିଁକି ପଚାରିଲେ ନାହିଁ ବୋଲି ଅଧିକାରୀମାନେ ଓଲଟି କଲେଜ ଉପରେ ଦୋଷ ଲଦୁଛନ୍ତି।

ଅଧିକାରୀମାନଙ୍କ ଏଭଳି ଖାମଖିଆଲି ମନ୍ତବ୍ୟକୁ ଶିକ୍ଷାବିତ୍‌, ଅଧ୍ୟାପକ, କଲେଜ ଅଧ୍ୟକ୍ଷମାନେ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ଅନ୍ୟ ମୁଣ୍ଡରେ ଦୋଷ ଲଦିବା ଅପେକ୍ଷା ପରିଷଦ ପ୍ରଥମେ ନିଜର ତ୍ରୁଟି ସଂଶୋଧନ କରିବା ଆବଶ୍ୟକ। ପ୍ରଥମତଃ ଶିକ୍ଷାବିତ୍‌ଙ୍କ ବଦଳରେ ଆଇଏଏସ୍‌ ଅଧିକାରୀଙ୍କୁ ପରିଷଦର ଅଧ୍ୟକ୍ଷ ଭାବେ ବସାଯାଇଛି। ଯେଉଁମାନେ କାଁ ଭାଁ କାର୍ଯ୍ୟାଳୟ ଆସୁଛନ୍ତି। ପରିଷଦର ପ୍ରମୁଖ ପଦବିରେ ବସିଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ରହିଛି। ଦ୍ୱିତୀୟତଃ ଯୁକ୍ତ୨ ପରୀକ୍ଷାରେ ସଂସ୍କାର ଆଣିବାକୁ ଦୁଇ ବର୍ଷ ତଳେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଥିଲା। କମିଟି ରିପୋର୍ଟକୁ ୨୦୧୬ରୁ ଲାଗୁ ହେବ ବୋଲି ସେତେବେଳର ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କମିଟିର ୧୫ଟି ପ୍ରସ୍ତାବ ମଧ୍ୟରୁ କେବଳ ଯୁକ୍ତ୨ରେ ନିର୍ବାଚନ ବନ୍ଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଯୁକ୍ତ୨କୁ ଆଣିବା, ସିବିଏସ୍‌ଇ ଢାଞ୍ଚାରେ ସିଲାବସ୍‌ ପ୍ରସ୍ତୁତ ହୋଇଛି।

ସିଲାବସ୍‌ ପରିବର୍ତନ ପରେ ଯେଉଁ ପ୍ର୍ରସ୍ତାବ ଲାଗୁ ହେବା କଥା ତାହା ହୋଇନି। ଯୁକ୍ତ୨ ପ୍ରଥମ ବର୍ଷରେ ପରୀକ୍ଷା କରିବା ଲାଗି ପ୍ରସ୍ତାବ ରହିଥିଲା। ପରୀକ୍ଷା ପ୍ରଣାଳୀ କିଭଳି ହେବ, ଛାତ୍ରଛାତ୍ରୀ କେତୋଟି ବିଷୟରେ ପରୀକ୍ଷା ଦେବେ, କେତେ ମାର୍କର ପରୀକ୍ଷା ହେବ, ଯୁକ୍ତ୨ ଉଭୟ ବର୍ଷର ମାର୍କକୁ ମିଶାଇ କିଭଳି ଫଳ ପ୍ରକାଶ ପାଇବ ସେବିଷୟରେ ବି ଉଲ୍ଲେଖ ହୋଇଥିଲା। ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ପ୍ରତି ସପ୍ତାହରେ ଅତି କମ୍‌ରେ ଥରେ ଲେଖାଏ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମ, ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି କର୍ମଶାଳା, ପରିଷଦ ପରିସରରେ ଦକ୍ଷତା ବିକାଶ କେନ୍ଦ୍ର, ପବ୍ଲିକେସନ ୟୁନିଟ୍‌, ରେଜଲ୍ଟ ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା, ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୧୮୦ ଦିନର ପାଠପଢ଼ା ପରି ବିଷୟ ଉପରେ ରିପୋର୍ଟରେ କୁହାଯାଇଥିଲା।

ସିବିଏସ୍‌ଇ ଅଧୀନ ବିଦ୍ୟାଳୟରେ ବର୍ଷକୁ ଛାତ୍ରଛାତ୍ରୀଙ୍କୁ ଯେତିକି ସମୟ ପଢ଼ାଯାଉଛି ଯୁକ୍ତ୨ କଲେଜରେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ୧୮୦ ଦିନର ପାଠପଢ଼ା ହୋଇନି। ଏଭଳି ସ୍ଥିତିରେ ସିବିଏସ୍‌ଇ ଢାଞ୍ଚାରେ ପରୀକ୍ଷା କହି ଜୀବ ବିଜ୍ଞାନ ବିଷୟ ପରୀକ୍ଷା ଭିତରେ ପ୍ରାଣୀବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଏକାଠି କରାଇବା ନେଇ ପ୍ରଶ୍ନ ଉଠିଛି।

ଶିକ୍ଷାବିତ୍‌ ତଥା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡାଙ୍କ କହିବାନୁଯାୟୀ ପ୍ରସ୍ତାବକୁ କାର୍ଯ୍ୟକାରିତା ନେଇ ସରକାରଙ୍କ ଆନ୍ତରିକତା ନାହିଁ। ପ୍ରଥମ ବର୍ଷରେ ପରୀକ୍ଷା ହେଲା ନାହିଁ। ସିବିଏସ୍‌ଇ ଢାଞ୍ଚାରେ କ୍ଲାସ ବି ହେଉନି। ରେଜଲ୍ଟ ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା କରାଯାଇନି। ତେଣୁ ସିବିଏସ୍‌ଇ ଢାଞ୍ଚା ହୋଇଛି କହିବା ଯୁକ୍ତିଯୁକ୍ତ ନୁହେଁ। ଏବେ ଯେଉଁ ତ୍ରୁଟି ହୋଇଛି ତାହା ପରିଷଦର ଦୂରଦୃଷ୍ଟି ଅଭାବ। ଯଦି ଏହି ପାର୍ଟନରେ ପ୍ରଶ୍ନପତ୍ର କରିବା କଥା ତେବେ ନାମଲେଖା ସମୟରେ କଲେଜ କର୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କୁ ପରିଷଦ ଅବଗତ କରାଇବା କଥା। କଲେଜ କର୍ତୃପକ୍ଷ ଏପର୍ଯ୍ୟନ୍ତ ବି ଜାଣିନାହାନ୍ତି ଯେ ଦୁଇଟି ବିଷୟକୁ ମିଶାଇ ଗୋଟିଏ ବିଷୟର ପରୀକ୍ଷା ହେବ। ଯଦି ପିଲାଙ୍କ ସହ ଜୋର ଜବରଦସ୍ତ ଏଭଳି ଲାଗୁ କରାଯାଏ ତେବେ ପିଲାଙ୍କ ପରୀକ୍ଷା ଖରାପ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର