ଲଇଡ଼ା : ମଂଗଳବାର ରାତିରେ ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡ଼ା ଫାଣ୍ଡି ଦଲପତଗାଲି ଗାଁ ଦେଇ ଯାଇଥିବା ପିଡବ୍ଲୁଡି ରାସ୍ତାରେ ଦୁର୍ଘଟଣା ଫଳରେ ଦୁଇଟି ହାଇଓ୍ଵା ଗାଡ଼ିର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନେ ହେଲେ ଭୋଲା ସିଂ (୫୭) ଓ ରବିନାରାୟଣ କିଷାନ (୨୩)। ବିହାର ରାଜ୍ୟର ଭୋଲା ସିଂ ସମ୍ବଲପୁର ବରେଇପାଲିଠାରେ ରହୁଥିଲେ। ରବି କିଷାନଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବରହାମୂଷା ଗାଁର ବୋଲି ଜଣାପଡ଼ିଛି।

Advertisment

ଜୁନାଡିହି-ସଇଡ଼ା ରାସ୍ତାର ବନ୍ଧଲିପଡ଼ା ବୁଲାଣିରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଗାଡ଼ି (ଓଆର ୧୫ଜେ ୬୨୩୩, ଓଆର ୧୫ଏଲ୍‌ ୭୮୩୮) ଆଗପଛ କରି ଠିଆ କରି ସେମାନେ କଥାବାର୍ତ୍ତା ଛିଡ଼ା ହୋଇ ହେଉଥିବା ସମୟରେ ପଛ ପଟୁ ଧାନ ନେଇ ଯାଉଥିବା ଏକ ଟ୍ରକ୍‌ (ଓଆର ୧୫ଏମ ୬୪୯୪) ଧକ୍କା ଦେଇଥିଲା। ଉଭୟେ ଘୋଷାଡ଼ି ହୋଇ ଆଗରେ ଥିବା ହାଇଓ୍ଵା ସହ ପିଟି ହୋଇଥିଲେ। ମୁଣ୍ଡ ଚେପା ହୋଇଯାଇ ସେଠାରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ଉଭୟ ହାଇଓ୍ଵା ଜୁନାଡିହି-ସଇଡ଼ା ରାସ୍ତା ନିର୍ମାଣ କରୁଥିବା ଜଲାନ କନଷ୍ଟ୍ରକ୍‌ସନ ଅଧୀନରେ ରହିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ୩ଟି ଗାଡ଼ିକୁ ଜବତ କରାଯାଇଛି। ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିିଲା ତାହା ଅତି ସରୁ ଓ ବୁଲାଣି ରହିଛି। ରାସ୍ତାଟିକୁ ଓସାରିଆ କରିବାକୁ ଅଂଚଳରେ ଦାବି ହୋଇଛି।