ଭୁବନେଶ୍ବର: ଗତ ୬-୭ମାସ ତଳେ ଓଡ଼ିଶାରେ ହ୍ୟୁମାନ ମେଟାନିମୋଭାଇରସ୍‌ (ଏଚ୍‌ଏମ୍‌ପିଭି)ର ଦୁଇଟି ମାମଲା ନଜରକୁ ଆସିଥିଲା। ଏମ୍‌ସ ଭୁବନେଶ୍ବରରେ କଟକ ଓ ପଶ୍ଚିମବଙ୍ଗର ଦୁଇଟି ଶିଶୁ ଏଥିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଜଣଙ୍କର ବୟସ ୧୦ ଓ ଅନ୍ୟଙ୍କର ୨ବର୍ଷ ରହିଥିଲା। ଏଚ୍‌ଏମ୍‌ପିଭିକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଏମ୍‌ସ ଭୁ‌ବନେଶ୍ବର କର୍ତ୍ତୃପକ୍ଷ ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମାତ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଉନାହିଁ। ତେଣୁ ଏଚ୍‌ଏମ୍‌ପି ଭୂତାଣୁ ପୂର୍ବରୁ ଭାରତ ଓ ବିଶ୍ବରେ ରହିଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ଦାବି କରୁଛନ୍ତି ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। 

Advertisment

ରାଜ୍ୟରେ ଚିହ୍ନଟ ହୋଇଥିଲେ ୨ ଏଚ୍‌ଏମ୍‌ପିଭି ଆକ୍ରାନ୍ତ!

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ କେହି ଏଚ୍‌ଏମ୍‌ଏପିଭିରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ କେହି ଚିହ୍ନଟ ହେବା ସଂପର୍କରେ ସୂଚନା ନାହିଁ। ଏମ୍‌ସ ଭୁବନେଶ୍ବର ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି କି ନାହିଁ ତାହା ବୁଝିବା ପରେ ହିଁ ମତ ଦେଇପାରିବି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଆସିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡା.ମିଶ୍ର କହିଛନ୍ତି। ଅପରପକ୍ଷରେ ଏଚ୍‌ଏମ୍‌ପିଭିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହେବା ପରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି, ଏଚ୍‌ଏମ୍‌ପିଭି ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ହସ୍ପିଟାଲମାନଙ୍କ ସହ ଆଲୋଚନା ହୋଇଛି। ସଂପୂର୍ଣ୍ଣ ଭାରତ ଏହି ଭୂତାଣୁ ଦ୍ବାରା ପ୍ରଭାବିତ ହୋଇନାହିଁ। ଓଡ଼ିଶାରେ କେହି ଏହି ଭୂତାଣୁରେ ଚିହ୍ନଟ ହୋଇନାହାନ୍ତି। ଏଚ୍‌ଏମ୍‌ପିଭି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ନିର୍ଦ୍ଦେଶାବଳୀ ଜାରି ହେବ ତାହାକୁ ପାଳନ କରାଯିବ। ତେଣୁ ଲୋକମାନେ ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ଥଣ୍ଡା, କାଶ କିମ୍ବା ଜ୍ବରରେ ଆକ୍ରାନ୍ତ ହେଲେ ପରୀକ୍ଷା କରାଇ ନିଅନ୍ତୁ। ରାଜ୍ୟରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ମହାଲିଙ୍ଗ ନିବେଦନ କରିଛନ୍ତି। 

ଏଚ୍‌ଏମ୍‌ପିଭି ସଂପର୍କରେ ଏମ୍‌ସ ଭୁବନେଶ୍ବର ପ୍ରଫେସର ଡା.ବୈଜୟନ୍ତୀମାଲା ମିଶ୍ର କହିଛନ୍ତି, ଏହି ଭୂତାଣୁ ପୂର୍ବରୁ ରହିଛି। ଏବେ ଚୀନ୍‌ରୁ ଏହି ଭୂତାଣୁ ଅନ୍ୟ ଆଡ଼େ ବ୍ୟାପୁଛି କି ନାହିଁ ତାହା ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। କେବଳ ଗଣମାଧ୍ୟମରେ ହିଁ ଏ ସଂପର୍କରେ ଜୋରଦାର ଆଲୋଚନା ହେଉଛି। ପ୍ରତିବର୍ଷ ଏହି ଭୂତାଣୁ କିଛି ମାତ୍ରାରେ ଚିହ୍ନଟ ହୋଇଥାଏ। ସାଧାରଣତଃ ଶୀତଦିନେ ଏହାର ମାମଲା ନଜରକୁ ଆସିଥାଏ ଓ ଏଥିରେ ମୃତ୍ୟୁ ହାର କମ୍। ଏମ୍‌ସ ଭୁବନେଶ୍ବରରେ ଏଚ୍‌ଏମ୍‌ପିଭି ଚିହ୍ନଟ ପାଇଁ ବ୍ୟବସ୍ଥା ରହିଥିବା ସେ କହିଛନ୍ତି।